ଗଜପତି: ଦିନେ ବିଜୁଳି ଆଲୋକ ଥିଲା ସାତ ସପନ । ଆଲୋକ ପାଇଁ ସାହାଭରସା ଥିଲା ଡିବିରି ଓ ଲଣ୍ଠନ । ସୂର୍ଯ୍ୟସ୍ତ ପରେ ଗାଁକୁ ମାଡି ଆସୁଥିଲା ଅନ୍ଧକାର । ପିଲାଙ୍କ ପାଠ ପଢାରେ ଉପୁଜୁଥିଲା ସମସ୍ୟା । କିନ୍ତୁ ଏବେ ଆଉ ସେପରି ହେବନି । କାରଣ ଗଜପତି ଜିଲ୍ଲା ବଡଅଞ୍ଜ ଗାଁରେ ଜଳିଛି ବିଜୁଳି ଆଲୋକ । ବିଳମ୍ବରେ ହେଉ ପଛେ ଗ୍ରାମବାସୀଙ୍କ ଦୀର୍ଘ ଦିନର ସମସ୍ୟା ହୋଇଛି ଦୂର । ଏମିତି ଏକ ଖୁସିର ମୂହୂର୍ତ୍ତକୁ ଉପଭୋଗ କରିଛନ୍ତି ଗ୍ରାମବାସୀ ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି ବିଦ୍ୟୁତ୍ ସଂଯୋଗ ପାଇଁ ଗାଁକୁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଯାହାର କାମ ନେଇଥିଲା ଏନଟିପିସି । ଆଲୋକ ସଂଯୋଗ ପାଇଁ ଗାଁରେ 57ଟି ଖୁଣ୍ଟ ପୋତା ଯାଇଥିଲା । ଏପିକି ଘରେ ମିଟର ମଧ୍ୟ ଲଗାଯାଇଥିଲା । ହେଲେ ପାହାଡିଆ ଅଞ୍ଚଳ ଥିବାରୁ କାମ ବିଳମ୍ବ ହେବା ସହ ବିଦ୍ୟୁତ୍ ସଂଯୋଗ ହୋଇନଥିଲା । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ ନିକଟରେ ଏନେଇ ଅଭିଯୋଗ ଆଣିଥିଲେ ।
ତେବେ ଏସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଲ ରାଣା ଜାଣିବା ପରେ ପ୍ରତ୍ୟକ୍ଷ ଭାବେ ସେ ଦାୟିତ୍ବ ଗ୍ରହଣ କରି ଗାଁକୁ କିଭଳି ଶୀଘ୍ର ବିଦ୍ୟୁତ ଯୋଗାଣ ହୋଇପାରିବ ସେ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଶେଷରେ ତାଙ୍କ ପ୍ରଚେଷ୍ଟାରେ ଗାଁରେ ଜଳିଛି ବିଦ୍ୟୁତ ଆଲୋକ । ବିଦ୍ୟୁତ ସଂଯୋଗ ପାଇଁ ଗାଁକୁ ଅଧିକାରୀମାନେ ଆସୁଥିବା ଖବର ଜଣାପଡିବା ପରେ ଗାଁ ଲୋକେ ଖୁସିରେ ଅଧାରାସ୍ତାରୁ ସେମାନଙ୍କୁ ସ୍ବାଗତ କରିବା ସହ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚି ଏକ ବିରାଟ ପଟୁଆରରେ ପାଛୋଟି ନେଇଥିଲେ । ପରେ ଗାଁରେ ବିଜୁଳି ସଂଯୋଗ ଦେଇ ଗାଁରୁ ସବୁଦିନ ପାଇଁ ଅନ୍ଧକାର ଦୂର କରିଥିଲେ । ବଣ ପାହାଡ ଘେରା ଏହି ଗାଁରେ ସ୍ବାଧୀନତାର 73 ବର୍ଷ ପରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଗ୍ରାମବାସୀ ବେଶ ଉତ୍ସାହିତ ଅଛନ୍ତି ।
ସେପଟେ ଗାଁର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଉନ୍ନତିମୂଳକ ଯୋଜନା କରିଛନ୍ତି । ଲୋକମାନେ ନିଜ ସମସ୍ୟା ପ୍ରଶାସନକୁ ଜଣାଇବା ସହ ସହଯୋଗ କଲେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ । ବିଜୁଳି ଆଲୋକ ପରେ ଏହି ଦୁର୍ଗମ ଅଞ୍ଚଳର ବାକି ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାର କଥା ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ