ଗଜପତି: ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ମଧ୍ୟ ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଥିଲା ଶେଷ ତାରିଖ । ଏହି ଅବସରରେ ଗଜପତି ଜିଲ୍ଲାର ଦୁଇଟି ବିଧାନସଭା ଆସନପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି । ବିଭିନ୍ନ ଦଳର ଆଶାୟୀଙ୍କ ସମେତ ସ୍ବାଧିନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।
ଗଜପତି ଜିଲ୍ଲାରେ ରହିଛି ମୋଟ ଦୁଇଟି ବିଧାନସଭା ଆସନ । ପାରଳାଖେମୁଣ୍ଡି ଆସନ ଅଣସଂରକ୍ଷିତ ଥିବା ବେଳେ ମୋହନା ନିର୍ବାଚନମଣ୍ଡଳୀ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି । ଉଭୟ ଆସନରୁ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ବିଭିନ୍ନ ଦଳର ବିଦ୍ରୋହୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳି ପାଇଁ 9ଜଣ ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଉଛନ୍ତି ବିଜେପିରୁ କେ ନାରାୟମ ରାଓ, ବିଜେଡିରୁ କଲ୍ୟାଣୀ ଗଜପତି ଏବଂ କଂଗ୍ରେସରୁ ଗତଥର ନିର୍ବାଚିତ ହୋଇଥିବା କେ ସୂରିୟା ରାଓ । ସେହିପରି ମୋହନା ନିର୍ବାଚନ ମଣ୍ଡଳିରୁ 3 ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏମାନଙ୍କ ବ୍ୟତୀତ ଆଉ 5ଜଣ ପ୍ରାର୍ଥୀ ସ୍ବାଧୀନ ଓ ଅନ୍ୟାନ୍ୟ ଦଳରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଦଳରୁ ଦାଶରଥୀ ଗମାଙ୍ଗ, ବିଜେଡିରୁ ପୂର୍ଣ୍ଣବାସୀ ନାୟକ ଏବଂ ବିଜେପି ତରଫରୁ ପ୍ରଶାନ୍ତ ମଲ୍ଲିକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।