ଗଜପତି: ଗତ 3ଦିନର ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଦେଖାଦେଇଥିଲା ବନ୍ୟା ପରିସ୍ଥିତି । ତେବେ ଧିରେ ଧିରେ ସେଥିରେ ସୁଧାର ଆସିଥିବା ଦେଖାଯାଇଛି । ବୁଧବାର ରାତିରୁ ନଦୀର ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବା ବେଳେ ଗୁରୁବାର ସକାଳୁ କାଶୀନଗର ଅଞ୍ଚଳରେ ବି ବର୍ଷାର ପରିମାଣ କମିଛି । ଫଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି କାଶୀନଗର ଠାରେ ବିପଦ ସଙ୍କେତ 54.60ମିଟର ରହିଥିବା ବେଳେ ବୁଧବାର ଏଠାରେ ଜଳସ୍ତର 56.60ରେ ପହଞ୍ଚିଥିଲା । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ନଦୀର ତଳମୁଣ୍ଡରେ ଆନ୍ଧ୍ରର ଗୋଟା ବ୍ୟାରେଜ ଠାରେ ଜଳ ପରିଚାଳନା ସଠିକ୍ ଭାବେ କରାଯାଇଥିବାରୁ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିଥିଲା । ବିଭିନ୍ନ ତଳୁଆ ଅଞ୍ଚଳରେ ପାଣି ପଶିଥିଲେ ମଧ୍ୟ ବନ୍ୟାଜଳ ବିଶେଷ କ୍ଷତି କରିପାରିନଥିଲା ।
ତେବେ ଗୁରୁବାର ମଧ୍ୟ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ନଦୀକୁଳିଆ ଅଞ୍ଚଳରେ ଥିବା କାଶୀନଗରର 18ଟି ଏବଂ ଗୋଷାଣି ବ୍ଲକର 12ଟି ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ବାରଣ କରାଯାଇଛି । କିନ୍ତୁ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ବର୍ତ୍ତମାନ ବର୍ଷାର ପରିମାଣ କମିଥିବା ବେଳେ ତଳମୁଣ୍ଡରେ ଥିବା ଗୋଟା ବ୍ୟାରେଜରେ ଜଳର ସୁପରିଚାଳନା ଯୋଗୁଁ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । କାଶୀନଗର ଠାରେ ଜଳସ୍ତର ବର୍ତ୍ତମାନ 55.78ମିଟର ରହିଛି ।
ସନ୍ଧ୍ୟା ସୁଦ୍ଧା ଏହା ହ୍ରାସ ପାଇ ବିପଦ ସଙ୍କେତ ତଳକୁ ଚାଲିଆସିବ ବୋଲି ସିଡବ୍ଲୁସି ପକ୍ଷରୁ କୁହାଯାଇଛି । ତେବେ ସରକାର ଜାରି କରିଥିବା ରେଡ ୱାର୍ଣ୍ଣିଂକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳୀ ନିର୍ମାଣ କରିବା ସହ ତଳୁଆ ଅଞ୍ଚଳର ଲୋକଙ୍କୁ ଏଠାରେ ରଖାଯାଇଛି ଏବଂ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଗଜପତିରୁ ହରିହର ପାତ୍ର, ଇଟିଭି ଭାରତ