ଗଜପତି : ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଏକ ଶିଶୁକୁ କୋଳେଇ ନେଲେ ଉତ୍ତରପ୍ରଦେଶ ମୁରାଦାବାଦର ଦମ୍ପତି । ଏହା ହେଉଛି କେନ୍ଦ୍ରର ୨୮ ନମ୍ବର ଶିଶୁ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶିଶୁକୁ ହସ୍ତାନ୍ତର କରାଯାଇଛି ।
ଗତ ଲକଡାଉନ ଏବଂ ସଟଡାଉନରେ ଜିଲ୍ଲାର ବିଭିନ୍ନ ଜାଗାରୁ ଶିଶୁଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ତିରେ ଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ସାଲୋମ (Nissan Shalom) ରଖାଯାଉଥିଲା । ଏହାସହ ସେଠାରେ ସେମାନଙ୍କର ଆଡପସନ( Adoption) ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା ।
ପରବର୍ତ୍ତୀ ମୁହୂର୍ତ୍ତରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି ଓ ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଯାହା ଦ୍ଵାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବ । ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ତିନି ବର୍ଷ ଧରି ଏକ ପୁତ୍ର ସନ୍ତାନ ପାଇଁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ ।