ଓଡିଶା

odisha

By

Published : Aug 3, 2021, 9:53 PM IST

Updated : Aug 5, 2021, 3:56 PM IST

ETV Bharat / state

ମୋବାଇଲ କିଣିବାକୁ ଦାଦନ ଖଟିଲେ ଛାତ୍ର, ମିଳିଲା ମୃତ୍ୟୁ ଖବର

ଗଜପତି ଜିଲ୍ଲା ସାନତୁଣ୍ଡି ଗାଁର ନବମ ଶ୍ରେଣୀର ଛାତ୍ର ମହେନ୍ଦ୍ର ଶବର । ଅନଲାଇନ ପାଠ ପଢିବାକୁ ସ୍ମାର୍ଟ ଫୋନଟିଏ ଦରକାର ଥିଲା । ଦାମୀ ଫୋନ କିଣିବା ଖଟିଖିଆ ଗରୀବ ବାପାମାଆଙ୍କ ସମର୍ଥ ବାହାରେ ଥିବାରୁ ଦାଦାନ ଖିଟିବାକୁ ଆନ୍ଧ୍ର ଗୁଣ୍ଟୁର ଯାଇଥିଲା ମହେନ୍ଦ୍ର । ହେଲେ ଆନ୍ଧ୍ରରୁ ମିଳିଥିଲା ମହେନ୍ଦ୍ରଙ୍କ ମୃତ୍ୟୁ ଖବର । ଏହି ହେଉଛନ୍ତି ସେହି ପିଲା ଯିଏକି ସେଠାରେ ଜୀବନ୍ତ ଦଗ୍ଧ ହୋଇଥିବା 6 ଓଡିଆଙ୍କ ମଧ୍ୟରୁ ଜଣେ । ଅଧିକ ପଢନ୍ତୁ...

ମୋବାଇଲ କିଣିବାକୁ ଦାଦନ ଖଟିଲେ ଛାତ୍ର, ମିଳିଲା ମୃତ୍ୟୁ ଖବର
ମୋବାଇଲ କିଣିବାକୁ ଦାଦନ ଖଟିଲେ ଛାତ୍ର, ମିଳିଲା ମୃତ୍ୟୁ ଖବର

ଗଜପତି: 'ମାଆ ମୁଁ ଆନ୍ଧ୍ର ଯାଉଛି ସେଠି କାମ କରିବି । ପଇସା ରୋଜଗାର କରି ଫୋନ କିଣିବି ।' ଅନଲାଇନ ପାଠପଢା ପାଇଁ ଫୋନଟିଏ କିଣିବାରେ ଅସମର୍ଥ ଖଟିଖିଆ ବାପାମାଆ ବି ରାଜି ହୋଇଥିଲେ ପୁଅ କଥାରେ । ସ୍କୁଲ ଖୋଲିଲେ ଫେରି ଆସିବି ବୋଲି କଥା ଦେଇ ପଡୋଶୀ ଆନ୍ଧ୍ରକୁ ଚାଲିଯାଇଥିଲା 15 ବର୍ଷର ପୁଅ । ହେଲେ କିଏ ଜାଣିଥିଲା ଏତେ ନିଷ୍ଠୁର ସାଜିବ ଦଇବ । ଫୋନଟିଏ ପାଇଁ ଦାଦନ ଖଟିବାକୁ ଯାଇଥିବା ପିଲାଟି ଶୋଇଯାଇଥିଲା ଚିର ନିଦ୍ରାରେ । ଏହି ପିଲା ଜଣକ ହେଉଛି ଗଜପତି ଜିଲ୍ଲା ସାନତୁଣ୍ଡି ଗାଁର ନବମ ଶ୍ରେଣୀର ଛାତ୍ର ମହେନ୍ଦ୍ର ଶବର । ଯିଏ କି ଆନ୍ଧ୍ରପ୍ରଦେଶରେ ଜୀବନ୍ତ ଦଗ୍ଧ ହୋଇଥିବା ସେହି 6 ପ୍ରବାସୀ ଓଡିଆଙ୍କ ମଧ୍ୟରୁ ଜଣେ ।

ମୋବାଇଲ କିଣିବାକୁ ଦାଦନ ଖଟିଲେ ଛାତ୍ର, ମିଳିଲା ମୃତ୍ୟୁ ଖବର

ସାନତୁଣ୍ଡି ଗାଁର ଜିତେନ୍ଦ୍ର ଶବରଙ୍କ ପୁଅ ମହେନ୍ଦ୍ର ଶବର । ସେ ରାୟଗଡ ବ୍ଲକ ଅନ୍ତର୍ଗତ SSD ହାଇସ୍କୁଲର ନବମ ଶ୍ରେଣୀରେ ପଢୁଥିଲା । ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବା ଯୋଗୁଁ ସେ ଏବଂ ସେହି ଗ୍ରାମର ଅରୁଣ ନାମକ ଆଉ ଏକ ନାବଳକ ମିଶି ଦାଦନ ଖଟିବାକୁ ଆନ୍ଧ୍ରର ଗୁଣ୍ଟୁର ଆସିଥିଲେ । ସେଠାରେ ସେମାନେ ଏକ ମାଛ ଫାର୍ମରେ କାମ କରୁଥିଲେ । ନିକଟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ସରକାରଙ୍କ ଘୋଷଣା ପରେ ବେଶ୍ ଖୁସି ହୋଇଥିଲା ମହେନ୍ଦ୍ର । ଏଣୁ ଗୁରୁବାର ସନ୍ଧ୍ୟାରେ ମହେନ୍ଦ୍ର ଘରକୁ ଫୋନ କରି ଅଗଷ୍ଟ 1 ତାରିଖରେ ଗାଁକୁ ଫେରିବ ବୋଲି ଜଣାଇଥିଲା । ହେଲେ ସେହିଦିନ ରାତିରେ ହିଁ ଘଟିଥିଲା ଅଘଟଣ । କିଟିମିଟ ଅନ୍ଧାର ରାତିରେ କଲବଲ ହୋଇ ନିଆଁରେ ପ୍ରାଣ ହରାଇଥିଲା ମହେନ୍ଦ୍ରଙ୍କ ସମେତ 6 ଓଡିଆ ଶ୍ରମିକ । ପେଟକୁ ଦିମୁଠା ଦାନ ଯୋଗାଡ ପାଇଁ ଯାଇଥିବା ସେହି ଦାଦନ ଶ୍ରମିକଙ୍କ ଅକାଳ ମୃତ୍ୟୁ ସାରା ରାଜ୍ୟକୁ ଥରାଇ ଦେଇଥିଲା । ସେପଟେ ମହେନ୍ଦ୍ରଙ୍କ ସାଙ୍ଗରେ ଯାଇଥିବା ତାଙ୍କ ସାଙ୍ଗ ଗାଁକୁ ଫୋନ କରି ସବୁ କଥା ଜଣାଇଥିଲେ । ଯାହା ଶୁଣିବା ପରେ ହତବାକ୍ ହୋଇଯାଇଥିଲେ ପିଲାଟିର ଖଟିଖିଆ ବାପାମାଆ । ତେବେ ମହେନ୍ଦ୍ରଙ୍କ ଶରୀର ଏତେ ମାତ୍ରାରେ ପୋଡିଥିଲା ଯେ ତାହାକୁ ଘଟଣାସ୍ଥଳରୁ ଜନ୍ମ ମାଟିକୁ ଆଣିବା ସମ୍ଭବ ହୋଇପାରୁନଥିଲା । ତେଣୁ ସେଠାରେ ହିଁ ଶବ ସଂସ୍କାର କରି ଘର ଲୋକେ ଫେରିଥିଲେ ।

ତେବେ ମହେନ୍ଦ୍ରଙ୍କ ସମତେ 6 ଓଡିଆ ଦାଦନଙ୍କ ମୃତ୍ୟୁ ପରେ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଓ ଅନ୍ୟାନ୍ୟ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ ସମେତ ବିଡିଓ, ଅତିରିକ୍ତ ଶ୍ରମ ଅଧିକାରୀ ଏବଂ ସ୍ଥାନୀୟ ନେତୃବୃନ୍ଦ ପହଞ୍ଚି ମୃତ ମହେନ୍ଦ୍ରଙ୍କ ପରିବାରକୁ ଭେଟିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି କାହା ପାଇଁ ସରକାରଙ୍କ ଏସବୁ ମାଳ ମାଳ ଯୋଜନା ? ମୋବାଇଲଟିଏ କିଣିବାକୁ ଯେତେବେଳେ ପିଲାଟି ଦାଦନ ଖଟିବାକୁ ଯାଇଥିଲା ସେତେବେଳେ କୁଆଡେ ଯାଇଥିଲେ ଏହି ପ୍ରଶାସନ । ଆଉ କେବେ ସରିବ ଦାଦନଙ୍କ ଦାରୁଣ ଦୁଃଖ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Aug 5, 2021, 3:56 PM IST

ABOUT THE AUTHOR

...view details