ଗଜପତି: ଆଦିବାସୀ ଆଧ୍ୟୁଷିତ ଗଜପତି ଜିଲ୍ଲାରେ ପାନୀୟ ଜଳ ସମସ୍ୟାର ହେବ ସମାଧାନ । ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ଜନସାଧାରଣ । ଏନେଇ ଗଜପତିରେ 379 କୋଟିରୁ ଅଧିକ ଟଙ୍କାର ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ ହୋଇଛି । ଗୁମ୍ମା ବ୍ଲକର 16ଟି ଏବଂ ରାୟଗଡ ବ୍ଲକର 21ଟି ପଞ୍ଚାୟତର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ମୋଟ 379.18କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହି ଟଙ୍କାରେ ଦୁଇଟି ପ୍ରକଳ୍ପ ନିର୍ମାଣ ହେବ, ଯାହା ଆସନ୍ତା 24 ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ରାୟଗଡା ଓ ଗୁମ୍ମା ବ୍ଲକର ୩୭ଟି ପଞ୍ଚାୟତର ଲୋକେ ଉପକୃତ ହେବେ । ଏନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଜିଲ୍ଲା ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଯାଇଛି । ଆଦିବାସୀ ଅଧ୍ୟୁସିତ ଗୁମ୍ମା ବ୍ଲକର 16ଟି ପଞ୍ଚାୟତ ଲୋକ ଆଜି ଯାଏଁ ବିଶୁଦ୍ଧ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । କେବଳ ଗୁମ୍ମା ନୁହେଁ, ରାୟଗଡ ବ୍ଲକର ସମସ୍ତ 21ଟି ଯାକ ପଞ୍ଚାୟତରେ ମଧ୍ୟ ଅବସ୍ଥା ସମାନ । ଲୋକେ ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରି କରିଆସୁଥିଲେ । ଶେଷରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ 379.18 କୋଟି ଟଙ୍କା ମଞ୍ଜୁର କରିବା ସହ ୨୪ ମାସ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।