ଓଡିଶା

odisha

ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ମହେନ୍ଦ୍ରତନୟା ନଦୀପୋଲ .... - ଗଜପତିର ମହେନ୍ଦ୍ରତନୟା ନଦୀ ପୋଲ

ଗଜପତି ଜିଲ୍ଲାର ସଦର ମହକୁମା ସହ 4ଟି ଆଦିବାସୀ ବହୁଳ ବ୍ଲକକୁ ଯୋଗାଯୋଗ କରୁଥିବା ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ । 140ବର୍ଷ ପୁରୁଣା ଏହି ପୋଲକୁ ନେଇ ଲୋକେ ଚିନ୍ତିତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Aug 21, 2019, 4:15 PM IST

ଗଜପତି: ବିପଦ ସଙ୍କୁଳ ଅବସ୍ଥାରେ 140ବର୍ଷର ପୁରୁଣା ପୋଲ । ଭାରିଯାନ ଯିବା ମାତ୍ରେ ଡର ଲାଗୁଛି । କେତେବେଳେ ଯେ ଭୁଷୁଡିଯିବ ସେ ଚିନ୍ତାରେ ଲୋକେ । ଗତପତି ଜିଲ୍ଲାର ମାଛମାରାଠାରେ ଥିବା ମହେନ୍ଦ୍ରତନୟା ନଦୀ ପୋଲ । ଜିଲ୍ଲାର ସଦର ମହକୁମା ସହ 4ଟି ଆଦିବାସୀ ବହୁଳ ବ୍ଲକକୁ ଯୋଗାଯୋଗ କରୁଛି ଏହି ପୋଲ । ଏହି ପୁରୁଣା ପୋଲକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ଏହାର ବିକଳ୍ପ ଏଯାଏଁ ଚିନ୍ତା କରାଯାଇନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସଦର ମହକୁମା ଠାରୁ ପ୍ରାୟ 20କିମି ଦୁରରେ ଥିବା ମାଛମରା ଠାରେ ମହେନ୍ଦ୍ରତନୟା ନଦୀ ଉପରେ ଏକ ପୋଲ ରହିଛି । ଯାହାକି 1822ମସିହାରେ ନିର୍ମାଣ ହୋଇଥିଲା । ଏହାରି ଭିତରେ ବିତି ସାରିଛି ପ୍ରାୟ 140ବର୍ଷ । ଏହି ପୋଲ ବିପଦ ସଂକୁଳ ଅବସ୍ଥାରେ ରହିଥିବା କୁହାଯାଉଛି । ଗଜପତି ଜିଲ୍ଲାର ମୋହନା, ଆର.ଉଦୟଗିରି, ନୂଆଗଡ଼ ଏବଂ ରାୟଗଡ ବ୍ଲକକୁ ଜିଲ୍ଲା ସଦର ମହକୁମା ସହ ଯୋଡିବାରେ ମୁଖ୍ୟ ଭୂମିକା ସାଜିଛି । ତେବେ ଏହି ପୋଲ ଭାଙ୍ଗିଗଲେ ଉକ୍ତ ବ୍ଲକର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ ।

ବାତ୍ୟା ସମୟରେ ଏହି ପୋଲ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । କେବଳ ସେତିକି ନୁହେଁ ଏହି ପୋଲ ନିକଟରୁ ବେଆଇନ ବାଲି ଉଠାଣ ହେଉଥିବାରୁ ଏହା ଉପରେ ପ୍ରଭାବ ପଡୁଥିବା କହିଛନ୍ତି ଲୋକେ । ପୋଲର ସ୍ଥିତିକୁ ନେଇ ଇଞ୍ଜିନିୟରମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏହି ପୋଲ ନିର୍ମାଣ ହେବା ତ ଦୁରର କଥା ଏଥିରେ ଉଠିଥିବା ଗଛକୁ ମଧ୍ୟ କଟାଯାଇନାହିଁ । ଯାହା ବିଭାଗୀୟ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ବିକଳ୍ପ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

ପାରଳାଖେମୁଣ୍ଡି ଠାରୁ ମୋହନା ଯାଏଁ ଲମ୍ବିଥିବା ରାସ୍ତା ଅଣ ଓସାରିଆ । ଫଳରେ ଗତ କିଛି ବର୍ଷ ତଳେ ଏହାର ଦୋହରୀକରଣ କାମ କରାଯାଇଥିଲା । ତେବେ ଏହା ନିର୍ମାଣ ବେଳେ ଏହି ପୋଲର ମରାମତି କିମ୍ବା ନୂତନ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଇନଥିଲା ପୂର୍ତ୍ତ ବିଭାଗ । ଯାହାକି ବର୍ତମାନ ଭୁଷୁଡିବା ପରିସ୍ଥିତିକୁ ଆସି ସାରିଛି । ବର୍ତ୍ତମାନ ଏହି ରାସ୍ତା ରାଜପଥ ବିଭାଗକୁ ହସ୍ତାନ୍ତର ହୋଇସାରିଥିବା ବେଳେ ଏହାର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଶତାୟୁ ପୁରାତନ ଏହି ପୋଲ କେତେବେଳେ ଯେ ଭୁଷୁଡିବ ତାହା କହିବା ମୁସ୍କିଲ । ଏଣୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ଜୁରୁରୀ ହୋଇପଡିଛି ।

ଗଜପତିରୁ ହରିହର ପଟନାୟକ, ଇଟିଭି ଭାରତ

ABOUT THE AUTHOR

...view details