ଭୁବନେଶ୍ବର:ମହାରାଷ୍ଟ୍ର ମହାବଳ ବାଘ ଏବେ ଓଡ଼ିଶାରେ । 4ଟି ରାଜ୍ୟ ଓ ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି ବାଘ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ହୋଇଥିବା ଜଣାପଡିଛି । ତେବେ ବାଘଟି ଏତେ ବାଟ ଅତିକ୍ରମ କରି କେମିତି ଓଡ଼ିଶାରେ ପହଞ୍ଚିଲା ସେନେଇ ଚର୍ଚ୍ଚା ଜୋର ଧରିଛି । ସାଥୀ କିମ୍ବା ଉତ୍ତମ ପରିବେଶ ଅନ୍ବେଷଣରେ ମହାବଳ ବାଘ ଆସିଥାଇପାରେ ବୋଲି କୁହାଯାଉଛି ।
୨୦୨୧ ମସିହାରେ ମହାରାଷ୍ଟ୍ରର କ୍ୟାମେରା ଟ୍ରାପରେ ମହାବଳ ବାଘଟି ଚିହ୍ନଟ ହୋଇଥିଲା । ତେବେ ମହାରାଷ୍ଟ୍ରରୁ ଓଡ଼ିଶା ଆସିବା ସମୟରେ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଏବଂ ପାଖାପାଖି 750 କିଲୋମିଟର ଅତିକ୍ରମ କରି ପହଞ୍ଚିଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏତେ ବାଟ ଅତିକ୍ରମ କରି ବାଘଟି ଓଡିଶାରେ ପହଞ୍ଚିଛି ସେନେଇ ଜଣାପଡିନଥିବା ବେଳେ ସାଥୀ କିମ୍ବା ଉତ୍ତମ ପରିବେଶ ସନ୍ଧ୍ୟାରେ ଏଠାକୁ ଆସିଥିବା ଅନୁମାନ କରାଯାଉଛି ।
ତେବେ ମହାବଳ ବାଘଟି ଏତେ ଦୂରରୁ ନଦୀନାଳ, କୃଷି କ୍ଷେତ୍ର, ରାସ୍ତା ଓ ଜନବସତି ଡେଇଁ ଏତେ ବାଟ ଅତିକ୍ରମ କରିବା ଖୁବ୍ ବିରଳ ବୋଲି କୁହାଯାଉଛି । ବାଟରେ ଏହା କୌଣସି ମଣିଷକୁ ଆକ୍ରମଣ କରିବାର ମଧ୍ୟ କୌଣସି ସୂଚନା ମିଳିନି । ଭାରତରେ ବାଘ ଅତିକ୍ରମ କରିଥିବା ଏହା ଦ୍ବିତୀୟ ଦୀର୍ଘ ପଥ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।