ଓଡିଶା

odisha

ETV Bharat / state

ନିରାଶାର ଅନ୍ଧାରରୁ ଖୋଜିଲେ ଆଲୋକର ରାସ୍ତା, ମୃତ୍ଯୁ ମୁଖରୁ ଫେରି ସ୍ବାବଲମ୍ବୀ କିରଣ୍ମୟୀ

ମୃତ୍ୟୁ ମୁଖରୁ ଫେରି ଆସି ସ୍ବାବଲମ୍ବୀ ହୋଇ ପାରିଛନ୍ତି କିରଣ୍ମୟୀ । 6 ବର୍ଷ ତଳେ ଆରମ୍ଭ କରିଥିବା ଏକ ସ୍ବୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ କ୍ଷୁଦ୍ର ଶିଳ୍ପର ମାନ୍ୟତା ପାଇଛି । ଅଧିକ ପଢନ୍ତୁ

By

Published : Jul 30, 2023, 4:42 PM IST

Etv Bharat
Etv Bharat

ନିରାଶାର ଅନ୍ଧାରରୁ ଖୋଜିଲେ ଆଲୋକର ରାସ୍ତା

ଗଜପତି:ଦିନ ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ । ଜୀବନ ମରଣ ସହ ସଂଘର୍ଷ କରି ନୂଆ ଜୀବନ ପାଇଲେ । ଆଉ ଏବେ ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ବଳରେ ସମାଜରେ ନୂଆ ପରିଚୟ ପାଇଛନ୍ତି । ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଆମେ କହୁଛୁ କାଶୀନଗର ବ୍ଲକ୍ ଗୋରୀବନ୍ଧା ପଞ୍ଚାୟତ ରାଜପୁର ଗ୍ରାମର ଏମ୍‌. କିରଣ୍ମୟୀଙ୍କ କଥା । ଏକ ଦୁର୍ଘଟଣାରେ ତାଙ୍କ ଶରୀରର ୭୦ ପ୍ରତିଶତ ପୋଡିଯାଇଥିଲା । ଶାଶୁଘର ଲୋକେ ପର କରିଦେଇଥିଲେ । କିନ୍ତୁ କାହା ଉପରେ ସେ ଯେମିତି ବୋଝ ନ ହେବେ ତାହା ସେ ଚିନ୍ତା କରିଥିଲେ । ନିରାଶାର ଅନ୍ଧାର ତାଙ୍କୁ ଦେଖାଇଥିଲା ଆଲୋକର ରାସ୍ତା । 6 ବର୍ଷ ତଳେ ସେ ଆରମ୍ଭ କରିଥିବା ଏକ ସ୍ବୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ କ୍ଷୁଦ୍ର ଶିଳ୍ପର ମାନ୍ୟତା ପାଇଛି । ବ୍ଲକ ସ୍ତରୀୟ ଫେଡେରେସନ ସଭାନେତ୍ରୀ ଭାବେ ସେ ବି ନିର୍ବାଚିତ ହୋଇଛନ୍ତି ।

ସବୁ ନାରୀ ଭଳି ସେ ବି ବିବାହ ପରେ ଅନେକ ସ୍ବପ୍ନ ଦେଖିଥିଲେ । ହେଲେ ଏକ ଦୁର୍ଘଟଣାରେ ତାଙ୍କ ଶରୀରର ୭୦ ପ୍ରତିଶତ ପୋଡିଗଲା ପରେ ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲା । ବଞ୍ଚିବାର ଆଶା ମଧ୍ୟ ସେ ହରାଇ ଦେଇଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। କିନ୍ତୁ ସ୍ବାମୀ ଓ ପରିବାରର ଅନ୍ୟମାନେ ତାଙ୍କ ସହ ଆଉ ରହିବା ପାଇଁ ଚାହିନଥିଲେ । ଫଳରେ ଏକାକିନୀ ହୋଇ ଯାଇଥିଲେ କିରଣ୍ମୟୀ । ପିତା ମାତାଙ୍କ ନିକଟକୁ ଫେରିଯିବା ଛଡା ଅନ୍ୟ କିଛି ଉପାୟ ନଥିଲା ତାଙ୍କ ନିକଟରେ । ଶାରୀରିକ ଓ ମାନସିକ ଯନ୍ତ୍ରଣା ମଧ୍ୟରେ ଆଉ କାହା ଉପରେ ବୋଝ ନହୋଇ ଅଲଗା ନିଜ ଭାଗ୍ୟକୁ ଆଦରି ରହିବାର ନିଷ୍ପତ୍ତି ନେଇଥିଲେ।

ଏହା ମଧ୍ୟ ପଢନ୍ତୁ-ଅନ୍ତର୍ଜାତୀୟ ସ୍ତରରେ ଚମକିବେ ଶ୍ୱେତସ୍ୱିନୀ, ଏସିଆ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ସାମିଲ ହେବେ ଓଡ଼ିଆ ଝିଅ

୨୦୧୭ ମସିହାରେ ସେ ସ୍ଥାନୀୟ ଅଙ୍ଗନାବାଡ଼ି କର୍ମୀଙ୍କଠାରୁ ସ୍ବୟଂ ସହାୟକ ଗୋଷ୍ଠୀ ବିଷୟରେ ଜାଣିବାକୁ ପାଇଥିଲେ । ନିରାଶାର ଅନ୍ଧାର ହଟାଇ ଏହା ତାଙ୍କ ପାଇଁ ଆଶାର କିରଣ ଆଣି ଦେଇଥିଲା । ଗ୍ରାମର ଅନ୍ୟ ୯ ଜଣ ମହିଳାଙ୍କୁ ସାଙ୍ଗରେ ନେଇ ସେ ଗଢ଼ିଥିଲେ ଏକ ଏସ୍ଏଚ୍‌ଜି ଗ୍ରୁପ୍‌ । ୬ ବର୍ଷର ସାଧନା ପରେ ତାଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ କ୍ଷୁଦ୍ର ଶିଳ୍ପର ମାନ୍ୟତା ପାଇଛି । ବ୍ଲକ୍ ସ୍ତରୀୟ ଫେଡେରେସନ୍‌ ସଭାନେତ୍ରୀ ଭାବେ ସେ ବି ନିର୍ବାଚିତ ହୋଇଛନ୍ତି । ତାଙ୍କ ଗ୍ରୁପ୍‌ ପକ୍ଷରୁ ବର୍ତ୍ତମାନ ପନିପରିବା ଚାଷ, ଛତୁ ଉତ୍ପାଦନ, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଣ ଭଳି ବହୁ କାର୍ଯ୍ୟ କରାଯାଉଛି । ପ୍ରତ୍ୟେକଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଗ୍ରୁପ୍ ଟି ରାଜ୍ୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ବର୍ତ୍ତମାନ ସମର୍ଥ ହୋଇ ପାରିଛି । କିରଣ୍ମୟୀ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ । ପ୍ରତିକୂଳ ପରିସ୍ଥିତିରେ ହାର ନମାନି ସେ ସ୍ଵପ୍ନ ଦେଖିଛନ୍ତି ଓ ସେ ସ୍ୱପ୍ନକୁ ବାସ୍ତବ ରୂପ ଦେବା ଲାଗି ସଂଘର୍ଷ କରି ସଫଳତା ପାଇଛନ୍ତି । ତେଣୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

କିରଣ୍ମୟୀଙ୍କ ଜଣେ ସହଯୋଗୀ କହିଛନ୍ତି , ''2017ରୁ ଆମେ କିରଣ୍ମୟୀଙ୍କ ସହ ସ୍ବୟଂ ସହାୟକ ଗୋଷ୍ଠୀରେ କାମ କରି ଆସୁଛୁ । ପନିପରିବା ଚାଷ ସହ ସ୍କୁଲ ପିଲାଙ୍କୁ ୟୁନିଫର୍ମ ମଧ୍ୟ ତିଆରି କରିକି ଦେଉଛି । ବର୍ଷକୁ ଆମେ 10 ଲକ୍ଷ ଟଙ୍କା ରୋଜଗାର କରୁଛୁ । କିରଣ୍ମୟୀ ଆମ ପାଇଂ ପ୍ରେରଣା ପାଲଟିଛନ୍ତି ।"

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details