ଗଜପତି:ଗ୍ରାମାଞ୍ଚଳ ବିଶେଷ କରି ଦୁର୍ଗମ ଅଞ୍ଚଳର ରାସ୍ତାଘାଟ ନିର୍ମାଣ କରି ଲୋକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି କରିବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଅସାଧୁ ଅଧିକାରୀ ଓ ଠିକାଦାରଙ୍କ ସଲାସୁତରାରେ ନିମ୍ନମାନର କାମ ହେଉଥିବା ଦେଖିବାକୁ ମିଳିଛି । ରାସ୍ତା କାମକୁ ଦୁଇ ଦିନ ପୁରିନି କିନ୍ତୁ ନିମ୍ନମାନର କାମ ଯୋଗୁଁ ଚକଡା ଚକଡା ହୋଇ ଉଠିପଡୁଛି ପିଚୁ । ଏହାକୁ ଦେଖିବା ପରେ ସାଧାରଣ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ଏହି କାମ ବନ୍ଦ କରି ଖୋଦ୍ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଭଲ ଭାବେ କରିବା ପାଇଁ ଦାବି କରିଛନ୍ତି ତେବେ ରାସ୍ତା କାମରେ ଦୁର୍ନୀତି ଓ ନିମ୍ନମାନର କାମ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ଉପକଣ୍ଠ ସୀତାସାଗର ଦେଇ ଆନ୍ଧ୍ରସୀମାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମରେ ।
ତେବେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ୫ ନମ୍ବର ୱାର୍ଡ ଅନ୍ତର୍ଗତ ଜଙ୍ଗମ ସାହି ଛକରୁ ସୀତାସାଗର ଦେଇ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଖରାପ ହୋଇଯାଇଥିଲା । ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଯାତାୟତ କରୁଥିବା ଏହି ରାସ୍ତାର ମରାମତି ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ଏହାର ମରାମତି ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିବା ପରେ ଏବେ ଏହି ରାସ୍ତାର କାମ ଆରମ୍ଭ ହୋଇଛି । ଦେଢ କିମି ରାସ୍ତା ପାଇଁ ୧୬ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ହେଲେ ଏହି କାମ ଅତି ନିମ୍ନମାନର କରାଯାଇଛି । ଦୁଇ ଦିନ ତଳେ ନିର୍ମାଣ ହୋଇଥିବା ରାସ୍ତାରୁ ପିଚୁ ଉଠିଯାଉଛି । ଏତେ ଟଙ୍କା ଆସିଥିଲେ ମଧ୍ୟ ଏଭଳି ନିମ୍ନମାନର କାମ କରାଯାଉଛି ଯେ, ଏହା ମାସେ ମଧ୍ୟ ଯିବା ସମ୍ଭବ ନୁହେଁ । ପୁଣି ଯେଉଁ ସ୍ଥିତିକୁ ସେହି ସ୍ଥିତି ହୋଇଯିବ ଏବଂ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେବେ । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କାମ ଠିକ ମାନରେ କରାଯିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।