ଗଜପତି : ପ୍ଲାଷ୍ଟିକ୍ ବର୍ଜନ କରିବା । ବୃକ୍ଷ ରୋପଣ କରି ପରିବେଶର ସୁରକ୍ଷା କରିବା ସହ ସ୍ବଚ୍ଛ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା । ଏପରି ଏକ ଅଭିନବ ଉଦ୍ୟମ କରିଛନ୍ତି ଓଡ଼ିଶା ନବୋଦୟ ପୁରାତନ ଛାତ୍ର ସଙ୍ଘ ଏବଂ ଗଜପତିର ଜବାହର ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ରସଙ୍ଘ । ଏହି ପୁରାତନ ଛାତ୍ରସଙ୍ଘ ପକ୍ଷରୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ।
ଓଡ଼ିଶା ନବୋଦୟ ପୁରାତନ ଛାତ୍ର ସଙ୍ଘ ବା ନାଓ ତଥା ଜବାହର ନବୋଦୟ ବିଦ୍ୟାଳୟ ଗଜପତିର ପୁରାତନ ଛାତ୍ରସଙ୍ଘର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡିଠାରେ ରବିବାର ଦିନ ପରିବେଶ ସଚେତନତା ସମ୍ପର୍କିତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ଗଜପତି ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ସୀମାଞ୍ଚଳ ଖମାରି, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଫାଲଗୁନି ମାଝି ଏବଂ ନାଓ ସଭାପତି ଇଞ୍ଜିନିୟର ସଞ୍ଜୟ କୁମାର ନାୟକ ସବୁଜ ପତାକା ଦେଖାଇଥିଲେ । ପାରଳାଖେମୁଣ୍ଡି ରାଜପ୍ରାସାଦ ନିକଟରୁ ଏହି ଦୁଇ ପୁରାତନ ଛାତ୍ରସଙ୍ଘର କର୍ମକର୍ତ୍ତା ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଆରସେଟି ସଭାଗୃହ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ପ୍ଲାଷ୍ଟିକ୍ ବର୍ଜନ, ବୃକ୍ଷ ରୋପଣ ଏବଂ ପରିବେଶ ସୁରକ୍ଷା ସମ୍ପର୍କିତ ପଥପ୍ରାନ୍ତ ନାଟକ ପ୍ରସ୍ତୁତ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା ।
ସେହିପରି ଥରେ ମାତ୍ର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍କୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । କାରଣ ଥରେ ବ୍ୟବହୃତ ହେବା ପରେ ଏ ସବୁ ଆବର୍ଜନାରେ ଅନ୍ତର୍ଭୁକ୍ତ ହେଉଥିବାରୁ ଏଥି ଜନିତ ଆବର୍ଜନା ଏବେ ସମସ୍ତଙ୍କ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟ କରିଛି । ଏନେଇ ବେତାଗୁଡା ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକକୁ ବର୍ଜନ କରିବା ସହ ବୃକ୍ଷ ରୋପଣ ଏବଂ ପରିବେଶ ସୁରକ୍ଷା ସମ୍ପର୍କିତ ପଥପ୍ରାନ୍ତ ନାଟକ ଓ ନୃତ୍ୟ ପରିବେଷଣ କରିଥିଲେ । ଗଜପତି ବ୍ୟତୀତ ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା,ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାର ନବୋଦୟ ପୁରାତନ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ ।