ଗଜପତି: ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ପଡିରହିଥିବା ପାରଳା ମହାରାଜାଙ୍କ ସମାଧୀ ପୀଠ ଏବେ ଝଲସିଛି ବିଭିନ୍ନ ଆଲୋକମାଳାରେ । ବିଳମ୍ବରେ ହେଉ ପଛେ ଏହି ଐତିହାସିକ ସ୍ଥଳୀର ପୁନଃଉଦ୍ଧାର କରାଯାଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏହାକୁ ଉଦଘାଟନ କରିଛନ୍ତି ।
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର କୃଷ୍ଣଚନ୍ଦ୍ର ଗଜପତିଙ୍କ ସମାଧି ପୀଠ ହେବା ପରେ ଏହି ସ୍ଥାନର ଗୁରୁତ୍ବ ଢେର ବଢିଥିଲା । ହେଲେ ଏହାକୁ ଆକର୍ଷଣର କେନ୍ଦ୍ର ବିନ୍ଦୁ କରିବା ପାଇଁ କେହି ପ୍ରୟାସ କରିନଥିଲେ । ଏହି ସ୍ଥାନର ପୁନଃଉଦ୍ଧାର ପାଇଁ ପ୍ରାୟ 2ବର୍ଷ ତଳେ ପରିକଳ୍ପନା କରିଥିଲା ପାରଳାଖେମୁଣ୍ଡି ପୌରପରିଷଦ । ତତ୍କାଳୀନ କାଉନସିଲ ଏବଂ ତାର ଅଧ୍ୟକ୍ଷା ଏମ.ଲଳିତା ଏହାକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦେଇଥିଲେ । ଏହି କାମ ପାଇଁ 37ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏହାକୁ ସୁନ୍ଦର ଆଲୋକମାଳାରେ ସଜାଯିବା ସହ ବିଭିନ୍ନ ପ୍ରକାର ଖେଳ ଉପକରଣ ମଧ୍ୟ ଖଞ୍ଜାଯାଇଛି । ଏହାକୁ କିଭଳି ସଠିକ ଭାବେ ପରିଚାଳନା କରାଯାଇ ପାରିବ, ସେ ଦିଗରେ ପୌରପରିଷଦ ପ୍ରୟାସ ଜାରି ରଖିଥିବା ନିର୍ବାହୀ ଅଧିକାରୀ କହିଛନ୍ତି ।