ଗଜପତି: ଗଞ୍ଜେଇ ଉତ୍ପତ୍ତିର ଅମରାବତୀ ପାଲଟିଥିବା ଗଜପତି ଜିଲ୍ଲାରେ ଥମୁନି ଚୋରା ଗଞ୍ଜେଇ କାରବାର । ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଟ୍ରକ ଟ୍ରକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏଥର ଗଜପତି ପୋଲିସ ହାତରେ ନୁହେଁ ବରଂ କେରଳ ପୋଲିସ ହାତରେ ଲାଗିଛନ୍ତି ମାଫିଆ । ଗଜପତିରୁ କେରଳକୁ ଲମ୍ବିଛି ବେଆଇନ ଗଞ୍ଜେଇ କାରବାର ଚେର । ଏହି ଗଞ୍ଜେଇ କାରବାର ଲିଙ୍କରେ ୨ ଜଣ ଅଭିଯୁକ୍ତଙ୍କୁ ଅଡବା ଅଞ୍ଚଳରୁ ଗିରଫ କରି ନେଇଛି କେରଳ ପୋଲିସ । ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଚୁଢ଼ଙ୍ଗପୂର ଗ୍ରାମର ଅରୁଣ ନାୟକ ଓ ଅନ୍ତରବା ଗ୍ରାମର ନମିତା ପରିଛା ।
ସୂଚନା ଅନୁଯାୟୀ, ଗତ ମାସ ୨୩ ତାରିଖରେ କେରଳର ତ୍ରିଶୁର ଜିଲ୍ଲା ନେଡିପୁଡ଼ା ଥାନା ପୋଲିସ ସାଜନ ଥୋମାସ ନାମକ ଯୁବକକୁ ଗିରଫ କରିବା ସହ ତା'ଠାରୁ ୨ ଶହ ୨୧ କେଜି ଗଞ୍ଜେଇ ଜବତ କରିଥିଲା । ବେଆଇନ ଗଞ୍ଜେଇ ଚାଲାଣରେ ସଂପୃକ୍ତିରେ ତ୍ରିଶୁର ଅଞ୍ଚଲରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଏହି ବେଆଇନ ଗଞ୍ଜେଇ ଚାଲାଣରେ ଫୋନ ପେ ମାଧ୍ୟମରେ ଅର୍ଥ କାରବାର ହୋଇଥିଲା । ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ଅଭିଯୁକ୍ତମାନେ ଗଜପତି ଜିଲ୍ଲାର ଅଡବା ଥାନା ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଥିଲା ।