ପାରଳାଖେମୁଣ୍ଡି: ସୂର୍ଯ୍ୟା ହଲମାର୍କର ୩ଟି ସୁନା ଦୋକାନରେ GST ଚଢ଼ାଉ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ଥିବା ଗୋଟିଏ ମାଲିକର ୩ଟି ସୁନା ଦୋକାନରେ ଚଢ଼ାଉ କରିଛି GST ଟିମ୍ । ବ୍ରହ୍ମପୁରରୁ ଆସିଥିବା ଏହି ୯ ଜଣିଆ GST ଟିମ୍ ଏକାଥରକେ ତିନୋଟି ଦୋକାନରେ ଚଢ଼ାଉ କରିଛି । ବିଭିନ୍ନ ଅଳଙ୍କାରର ଓଜନ ସହ ରସିଦ୍ ଯାଞ୍ଚ ଆରମ୍ଭ କରିଥିଲା GST ଟିମ୍ । ଯାଞ୍ଚ ସରିବା ପରେ GST ଟିକସ ପୈଠ ଠିକ୍ ଅଛି ନା ନାହିଁ ଜଣା ପଡ଼ିବ ବୋଲି ଚଢ଼ାଉ କରୁଥିବା ଅଧିକାରୀ କହିଛନ୍ତି । ବିଗତ କିଛି ଦିନର ସୁନା କ୍ରୟ ଓ ବିକ୍ରିର ସମସ୍ତ ଡାଟା ଅଧିକାରୀମାନେ ଚେକ୍ କରୁଛନ୍ତି ।
ଏ ସମ୍ପର୍କରେ GST ଏନଫୋର୍ସମଣ୍ଟ ଅଧିକାରୀ ମନୋଜ ପଣ୍ଡା କହିଛନ୍ତି "ଆଜି ଯେଉଁ ଚଢ଼ାଉ ଚାଲିଥିଲା ତାହା କମିଶନରଙ୍କ ସ୍ପେଶାଲ ଅର୍ଡରରେ ହୋଇଛି । ତେବେ ଏଥିନେଇ ଅଧିକ ତଥ୍ୟ ଆମ ପାଖରେ ନାହିଁ । ଗୋଟିଏ ଡିଲରଙ୍କୁ ଚଢ଼ାଉ କରିଛୁ । ତାଙ୍କର ୩ଟି ସୁନା ଦୋକାନ ଅଛି । ଏପର୍ଯ୍ୟନ୍ତ କୌଣସି ବିଶେଷ ଖୋଳାତାଡ଼ କରାଯାଇ ନାହିଁ ।"
ସେହିପରି ଗତ ଡିସେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାରେ ସିଟି ଓ GST ବିଭାଗ ମଧ୍ୟ ଚଢ଼ାଉ କରିଥିଲା । ଠାକୁରମୁଣ୍ଡା ବଜାରରେ ଥିବା କିଛି ଦୋକାନରେ ଟିକସ ଫାଙ୍କିବା ନେଇ ସିଟି ଓ GST ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଡେପୁଟି କମିଶନରଙ୍କ ନେତୃତ୍ବରେ ଠାକୁରମୁଣ୍ଡା ବଜାରରେ ଥିବା ୫ଟି ଦୋକାନ ଉପରେ ସିଟି ଏବଂ GST ବିଭାଗ ପକ୍ଷରୁ ରେଡ୍ କରାଯାଇଥିଲା ।