ଗଜପତି: ପ୍ରତ୍ୟେକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପ୍ରତିଶୃତିବଦ୍ଧ । ଏଭଳି ଘୋଷଣା କରିବା ସହ ରାଜ୍ୟ ସରକାର ବସୁଧା ଯୋଜନା ଆରମ୍ଭ କରିଛନ୍ତି । ହେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏହି ଯୋଜନା ବାଟ ହୁଡୁଥିବା ଭଳି ମନେ ହେଉଛି । ଜିଲ୍ଲାର ଜଳ ଯୋଗାଣ କାର୍ଯ୍ୟାଳୟ ପରିସରରେ ଶହଶହ ନଳକୂପର ଯନ୍ତ୍ରାଂଶ ପଡି ଖତ ଖାଉଥିବା ବେଳେ ଗାଁରେ ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁମ୍ମା ବ୍ଲକ ଗିରା ଗାଁରେ । ଏଠାରେ ଲୋକେ ପାଣି ଟୋପାଏ ପାଇଁ ଦୁଇ କିଲୋମିଟର ପାହାଡ ପାର ହେବାକୁ ପଡୁଛି ।
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ଗିରା ଗାଁ । ଏଠାରେ 60ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା 3 ଶହରୁ ଅଧିକ । ଏମାନଙ୍କ ପାଇଁ ଗୋଟିଏ ନଳକୂପ ରହିଛି । ସେହିଭଳି ଗ୍ରାଭିଟି ଫ୍ଲୋ ମାଧ୍ୟମରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ବର୍ତ୍ତମାନ କେବଳ ପାଣିଟାଙ୍କି ରହିଛି, କିନ୍ତୁ ତାହା ଆଉ ଲୋକଙ୍କ କାମରେ ଆସୁନାହିଁ । ଅନେକ ସ୍ଥାନରେ ପାଇପ ଫାଟି ଯାଇଥିବାରୁ ପାଣି ଆସିବା ସମ୍ଭବ ହେଉନାହିଁ । ଗାଁରେ ଥିବା ଏକମାତ୍ର ନଳକୂପରେ ଦୁଇ ବାଲତି ବାହାରିଲେ ବଡ କଥା, ତାହା ବି କଳଙ୍କି ପାଣି । ଯାହା ବ୍ୟବହାର ଉପଯୋଗୀ ନୁହେଁ ।
ତେଣୁ, ଏଠାକାର ଲୋକେ ପାଣି ଟୋପାଏ ପାଇଁ ପ୍ରତିଦିନ 2 କିଲୋମିଟର ପାହାଡ ଚଢି ଯିବା ପରେ ବହିଯାଉଥିବା ଝରଣା ପାଣିକୁ କଦଳୀ ପଟ ସହାୟତାରେ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଏହି ଚିତ୍ରକୁ ନଦେଖିଲେ କେହି ବିଶ୍ବାସ କରିପାରିବେ ନାହିଁ । ଉପରେ କୁକୁର ପାଣି ପିଉଥିବା ବେଳେ ତଳେ ସେହି ପାଣିକୁ ଆଦିବାସୀମାନେ ସଂଗ୍ରହ କରି ବ୍ୟବହାର କରୁଛନ୍ତି । ଲୋକେ ବାଧ୍ୟ ହୋଇ ଏହି ପାଣି ପିଉଛନ୍ତି । ଫଳରେ ଲୋକେ ବିଭିନ୍ନ ପ୍ରକାର ରୋଗରେ ପଡି ହସନ୍ତସନ୍ତ ହେଉଛନ୍ତି । ଏହି ପାଣି ସଂଗ୍ରହ ପାଇଁ ଗାଁ ଠାରୁ ଦୁଇ କିଲୋମିଟର ପାହଡ ଚଢିବାକୁ ପଡୁଥିବାରୁ ଗାଁ ସାରା ଲୋକେ ଏକତ୍ରିତ ହୋଇ ସଂଗ୍ରହ କରିବା ପାଇଁ ଯାଇଥାନ୍ତି । ପିଲା ଠାରୁ ବୁଢି ଯାଏଁ ସବୁ ମହିଳା ଏଥିରେ ସାମିଲ ହୋଇଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଲୋକେ ବିଭିନ୍ନ ସ୍ତରରେ ବାରମ୍ବାର ଗୁହାରୀ କରିଆସୁଛନ୍ତି । ହେଲେ କେହି ବି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।