ଗଞ୍ଜେଇ: ଗଞ୍ଜେଇ ବେପାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଜପତି ଜିଲ୍ଲାର ଆଦିବସୀ ଅଧ୍ୟୁଷିତ ଅଞ୍ଚଳ । ବାର୍ଷିକ ପ୍ରାୟ 2 ହଜାର କୋଟି ଟଙ୍କାର ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାକୁ ବିକି ବ୍ୟବସାୟୀ ମାଲାମାଲ ହେଉଛନ୍ତି । କିନ୍ତୁ ଏହି ଚାଷ କରୁଥିବା ନିରୀହ ଆଦିବାସୀମାନେ କେବଳ ମାମଲାରେ ଛନ୍ଦି ହେବା ହିଁ ସାର ହେଉଛି । ନଚେତ ଏତେ ଟଙ୍କାର ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳର ଲୋକଙ୍କ ଆର୍ଥିକ କିମ୍ବା ସାମାଜିକ ବିକାଶ ଏବେ ବି ଯଥା ପୂର୍ବଂ ରହନ୍ତା ନାହିଁ । ପ୍ରତିବର୍ଷ ଗଞ୍ଜେଇ ଗଛ ନଷ୍ଟ କରିବା କିମ୍ବା ଗଞ୍ଜେଇ ଚାଲଣ ସମୟରେ କେତେବେଳେ କେମିତି ଜବତ କରି କେବଳ ବାଃ ବାଃ ଗୋଟାଇବାରେ ବ୍ୟସ୍ତ ପୋଲିସ ଏବଂ ଅବକାରୀ ବିଭାଗ । ଏହାର ଚେର ଯାଏଁ ଯିବାକୁ ପ୍ରୟାସ ମଧ୍ୟ କରୁନାହିଁ ।
ଗଜପତି ଜିଲ୍ଲାର ରା.ଉଦୟଗିରି, ନୂଆଗଡ ଏବଂ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥାଏ । ଏଠିକାର ନିରୀହ ଆଦିବାସୀଙ୍କୁ କିଛି ଟଙ୍କର ଆଶା ଦେଖାଇ ମାଫିଆମାନେ ଏଠାରେ ଗଞ୍ଜେଇ ଚାଷ କରିଥାନ୍ତି । ଏମାନଙ୍କୁ ଗଞ୍ଜଇ ଚାରା ଠାରୁ ଆରମ୍ଭ କରି ଏଥିପାଇଁ ଆବଶ୍ୟକୀୟ ସାର, ପାଣି ପମ୍ପ ଏବଂ ପାଇପ ଆଦି ମଧ୍ୟ ପ୍ରଦାନ କରିଥାନ୍ତି ଏମାନେ । ଦିନ ରାତି ପରିଶ୍ରମ କରି ଏହି ଚାଷ କରାଯିବା ପରେ ଅମଳ ସମୟରେ ବେପାରୀମାନେ ନିଜର ହିସାବ ନିକାଶ ଆରମ୍ଭ କରି କିଭଳି ଏହାକୁ ବାହାରକୁ ଚାଲାଣ କରାଯିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତି । ଅବଶ୍ୟ ଏଥିରେ ମଧ୍ୟ ସେମାନେ ପରଦା ପଛରେ ରହି କାମ କରିଥାନ୍ତି । କେଉଁଠାକୁ ଚାଲାଣ କରିବାକୁ ଥିଲେ, ସ୍ଥାନୀୟ ବେକାର ଯୁବକମାନଙ୍କୁ ଟାର୍ଗେଟ କରି ସେମାନଙ୍କ ଦ୍ଵାରା ଏହା କରାଇଥାନ୍ତି । ଆଉ ସୁରକ୍ଷିତ ଭାବେ ମାଲ ପହଞ୍ଚିଗଲେ ସେମାନଙ୍କୁ ମିଳିଥାଏ ଅଳ୍ପ କିଛି ପାରିଶ୍ରମିକ । ଯଦି ପୋଲିସ ହାତରେ ପଡନ୍ତି ତାହେଲେ ସେହି ନିରୀହ ଯୁବକମାନେ ହିଁ ଆଇନ ଜାଲରେ ପଡ଼ି ଛଟପଟ ହୁଅନ୍ତି ।
ପୋଲିସ କିମ୍ବା ଅବକାରୀ ବିଭାଗ କେବଳ ଏହି ବ୍ୟକ୍ତିଙ୍କୁ ଧରି ନିଜର କର୍ତ୍ତବ୍ୟ ସାରି ଦେଉଥିବା ବେଳେ ଏହାର ପଛରେ ଥିବା ଲୋକଙ୍କୁ ଧରିବା ପାଇଁ କେବେ ହେଲେ ପ୍ରୟାସ କରିନାହିଁ । କାରଣ କୌଣସି ମାମଲାରେ ଆଜି ଯାଏଁ କିଏ ଏବଂ କାହା ପାଖକୁ ପଠାଉଥିଲା ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରାଯିବାର ନଜିର ନାହିଁ । ଗତ 4ବର୍ଷର ହିସାବକୁ ନେଲେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ପୋଲିସ 108ଟି ମାମଲା ରୁଜୁ କରିବା ସହ ପ୍ରାୟ 20 ହଜାର କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି । ସେଥିରେ ସାମିଲ ଥିବା ଅଭିଯୋଗରେ 201 ଜଣଙ୍କୁ ଗିରଫ କରିଛି । 2017 ମସିହାରେ ପୋଲିସ 23 ଟି ମାମଲା ରୁଜୁ କରିବା ସହ ଏଥିରେ ସାମିଲ ଥିବା ଅଭିଯୋଗରେ 47 ଜଣଙ୍କୁ ଗିରଫ କରିବା ସହ ପ୍ରାୟ 1372 କିଲୋ ଗଞ୍ଜେଇ ବ୍ୟବହୃତ ୧୮ ଟି ଗାଡିକୁ ଜବତ କରିଛି ।
ସେହିପରି 2018 ମସିହାରେ 5ଟି ମାମଲା ରୁଜୁ କରିବା ସହ ଏଥିରେ ସାମିଲ ଥିବା ଅଭିଯୋଗରେ 17 ଜଣଙ୍କୁ ଗିରଫ କରିବା ସହ ପ୍ରାୟ 754 କିଲୋ ଗଞ୍ଜେଇ ଏବଂ 7ଟି ଗାଡିକୁ ପୋଲିସ ଜବତ କରିଛି । 2019 ମସିହାରେ 40 ଟି ଗଞ୍ଜେଇ ଚାଲାଣ ମାମଲା ରୁଜୁ କରିବା ସହ ଏଥିରେ ସାମିଲ ଥିବା ଅଭିଯୋଗରେ 57 ଜଣଙ୍କୁ ଗିରଫ କରିବା ସହ ପ୍ରାୟ 3318କିଲୋ ଗଞ୍ଜେଇ ଏବଂ ବ୍ୟବହୃତ 25ଟି ଗାଡିକୁ ପୋଲିସ ଜବତ କରିଛି । 2020 ରେ ବର୍ତ୍ତମାନ ସୁଦ୍ଧା 40 ଟି ମାମଲା ରୁଜୁ କରିବା ସହ ଏଥିରେ ସାମିଲ ଥିବା ଅଭିଯୋଗରେ 80 ଜଣଙ୍କୁ ଗିରଫ କରିବା ସହ ପ୍ରାୟ 13729 କିଲୋ ଗଞ୍ଜେଇ ଏବଂ ବ୍ୟବହୃତ 36ଟି ଗାଡିକୁ ପୋଲିସ ଜବତ କରିଛି । ଆଉ ଏହି ସବୁ ମାମଲାରେ ଗିରଫ ହୋଇଥିବା ଲୋକେ ନିରୀହ ଏବଂ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଭଳି ମନେ ହେଉଛି ।
ପୋଲିସ ଏମାନଙ୍କ ଠାରୁ ମୋବାଇଲ ଜବତ କରିଥିଲେ ମଧ୍ୟ ତାର କଲ ରେକର୍ଡକୁ ଠିକ ଭାବେ ଯାଞ୍ଚ କରିଥିଲେ ଏହି ରାକେଟ ପଛରେ କେଉଁ ମାନଙ୍କ ହାତ ରହିଛି ତାହା ଜଣାପଡିବା ସହ ପରଦା ପଛରେ ଥିବା ଲୋକଙ୍କ ଅସଲ ମୁଖା ଖୋଲିଥାନ୍ତା । କିନ୍ତୁ ତାହା କରାଯାଇନାହିଁ , ଯାହା ଏବେବି ପ୍ରଶ୍ନବାଚୀ ହୋଇ ରହିଛି । ତେଣୁ ସବୁ ଘଟଣାର ପଛର ଖଳନାୟକକୁ ଖୋଜି ବାହାର କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।