କାର୍ଯ୍ୟକ୍ଷମ ହୋଇପାରିନି ମଡେଲ ଡିଗ୍ରୀ କଲେଜ ଗଜପତି:କାର୍ଯ୍ୟକ୍ଷମ ହୋଇପାରୁନି ଆଦର୍ଶ ଡିଗ୍ରୀ କଲେଜ । 3 କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟରେ 3 ମହଲା ବିଶିଷ୍ଟ କୋଠା ସରକାର ନିର୍ମାଣ କରିଥିବାବେଳେ ତାହା ଏବେ ଖାଲି ପଡିଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ କିତିଙ୍ଗିରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଏଠାରେ କୋଠା ନିର୍ମ।ଣ କାମ ଶେଷ ହେବାର ବର୍ଷେରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଆଜି ଯାଏଁ କଲେଜ ଆରମ୍ଭ ହେଉନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
କାଶୀନଗର ବ୍ଲକର ଖାଣ୍ଡବା, ବୁଦୁରା, ଅଲଡା, ଖୁରିଗାଁ ଏବଂ ସିଆଳି ଆଦି 5ଟି ପଞ୍ଚାୟତର ପିଲାମାନଙ୍କୁ ପଢିବା ପାଇଁ କାଶୀନଗର ଏବଂ ଗୁଣୁପୁର ଉପରେ ନିର୍ଭରଶୀଳ ହେବାକୁ ପଡିଥାଏ । ଦୂରକୁ ଯିବାକୁ ପଡୁଥିବାରୁ ଆର୍ଥିକ ଭାବେ ଚାପଗ୍ରସ୍ତ ହେବା ସହ ସେମାନଙ୍କ ସମୟ ମଧ୍ୟ ଅପଚୟ ହେଉଛି । ତେଣୁ ଏହି ଡିଗ୍ରୀ କଲେଜ୍ ଆରମ୍ଭ ହେଲେ ଏହି ଅଞ୍ଚଳର ପିଲାମାନେ ଉପକୃତ ହେବେ ବୋଲି ଆଶା ରଖିଥିଲେ । ହେଲେ କୋଠା ନିର୍ମାଣକୁ ଦୀର୍ଘ ଦିନ ବିତିସାରିଥିଲେ ମଧ୍ୟ କଲେଜ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ନଥିବାରୁ ଛାତ୍ରଛାତ୍ରୀମାନଙ୍କ ସମସ୍ତ ଆଶା ଆଶଙ୍କାରେ ପରିଣତ ହୋଇଯାଇଛି ।
ବର୍ତ୍ତମାନ ଏହି 3 ମହଲା ବିଶିଷ୍ଟ ଏହି କୋଠାକୁ ଦକ୍ଷତା ବିକାଶ କେନ୍ଦ୍ର କରିବା ସହ ଏକ ବେସରକାରୀ ସଂସ୍ଥା ହାତକୁ ଟେକି ଦେବା ପାଇଁ ମସୁଧା ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି । ତେଣୁ ଡିଗ୍ରୀ କଲେଜକୁ ନେଇ ଅଞ୍ଚଳବାସୀ ସନ୍ଦିହାନ ହୋଇପଡିଛନ୍ତି । ଏପରିକି ମଡେଲ୍ ଡିଗ୍ରୀ କଲେଜ ଉଲ୍ଲେଖ ହୋଇଥିବା ଫଳକକୁ ମଧ୍ୟ ହଟାଇ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ତୁରନ୍ତ କଲେଜ ଖୋଲା ନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଅପରପକ୍ଷେ ଲୋକଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ସେ କହିଛନ୍ତି ବର୍ତ୍ତମାନ ସଂଖ୍ୟାଧିକ ଦକ୍ଷତା ବିକାଶ କେନ୍ଦ୍ର ରହିଛି । ସେଠାରୁ ଯେଉଁ ପିଲାମାନେ ତାଲିମ ଗ୍ରହଣ କରୁଛନ୍ତି ସେମାନଙ୍କୁ ନିଯୁକ୍ତି ଦିଆଯାଇପାରୁନାହିଁ । ଏଭଳି ସ୍ଥିତିରେ କଲେଜ ନାଁରେ ହୋଇଥିବା କୋଠାକୁ ଦକ୍ଷତା ବିକାଶ କରିବାକୁ ଜିଲ୍ଲାପାଳ ପ୍ରସ୍ତାବ ଦେବାର ଅର୍ଥ ବେସରକାରୀ ସଂସ୍ଥାର ସ୍ବାର୍ଥକୁ ସଫଳ କରାଇବା ବୋଲି ବିଧାୟକ କେ.ନାରାୟଣ ରାଓ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଗଜପତି