ଗଜପତି:ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇ ଲ୍ୟାଣ୍ଡଫଲ ହେବା ଆରମ୍ଭ କରିଛି । ଗୋପାଳପୁର-କଳିଙ୍ଗପାଟନମ୍ ମଧ୍ଯରେ ସ୍ଥଳଭାଗ ଛୁଇଁବା ଆରମ୍ଭ କରି ସାମୁଦ୍ରିକ ଝଡ଼ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଶନିବାର ମଧ୍ୟରାତ୍ରିରୁ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ରବିବାର ସନ୍ଧ୍ୟାରୁ ସାମାନ୍ୟ ପବନ ମଧ୍ୟ ଆରମ୍ଭ ହୋଇଯାଇଥଲା । । ‘ତିତିଲି’ ଭଳି ଗଜପତି ଜିଲ୍ଲା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । କାରଣ ବାତ୍ୟା ତିତିଲି ମଧ୍ୟ ସେହି ସମାନ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା ।
ତିତିଲି ଯୋଗୁଁ ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକ ଏବଂ ମହେନ୍ଦ୍ରଗିରି ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ‘ଗୁଲାବ୍’ ମଧ୍ୟ ସମାନ ସ୍ଥିତି ଉପୁଜାଇବା ଆଶଙ୍କା କରାଯାଉଛି । ଏହାର ମୁକାବିଲା ପାଇଁ ଗଜପତି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୦ ହଜାର ଲୋକଙ୍କ ପାଇଁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି ।
ବାତ୍ୟା କଥା ଶୁଣି ଆତଙ୍କିତ ହୋଇ ପଡ଼ିଛନ୍ତି ଗଜପତି ଜିଲ୍ଲାର ଚାଷୀ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମରେ ବିଳମ୍ବରେ ଆରମ୍ଭ ହୋଇଛି । ଗତ କିଛିଦିନ ହେଲା ଋଣ କରି ରୂଆ କାମ ସାରିଛନ୍ତି ଚାଷୀ । ହେଲେ ବାତ୍ୟା ଧାନଜମିକୁ ନଷ୍ଟ କରିବା ଆଶଙ୍କାରେ ରହିଛନ୍ତି ଚାଷୀ । କାରଣ ଗତ ତିତିଲି ସମୟରେ ମଧ୍ୟ ଚାଷୀଙ୍କୁ ବହୁ କ୍ଷୟକ୍ଷତି ସହିବାକୁ ପଡ଼ିଥିଲା । ଯାହାର କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ।