ଗଜପତି: କୋରୋନାର ପ୍ରଥମ ଲହରୀ ସାରା ଦେଶକୁ ଆତଙ୍କିତ କରିଥବା ବେଳେ ଚଳିତ ବର୍ଷ ଦ୍ବିତୀୟ ଲହରୀ ଦେଶବାସୀଙ୍କୁ ବିଚଳିତ କରିସାରିଲାଣି । ଏପରିକି କୋରୋନାରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ଜୀବନ ବି ଗଲାଣି । ହେଲେ ଆଜି ବି ଏମିତି କିଛି ଗାଁ ରହିଛି ଯେଉଁଠି କରୋନା ପଶିପାରିନାହିଁ । ଏଭଳି ଗାଁ ହେଲା ଗଜପତି ଜିଲ୍ଲା ଗୁମ୍ମାମ ବ୍ଲକ ତରଙ୍ଗଡା ପଞ୍ଚାୟତର ତାମୁସିଂ ଏବଂ ପାଙ୍ଗୁଡା ଗାଁ। ଏହି ଦୁଇ ଗାଁ 4ଟି ଭାଗରେ ବିଭକ୍ତ ହୋଇ ରହିଥିବା ବେଳେ ଲୋକ ସଂଖ୍ୟା 5ଶହରୁ ଅଧିକ ।
କୋରୋନାର ଦ୍ବିତୀୟ ଲହର ଏବେ ସାରା ଦେଶର ଲୋକଙ୍କ ଠାରୁ ଅନେକ କିଛି ଛଡାଇନେଲାଣି । ହେଲେ ଏହି ଦୁଇ ଗାଁର ଲୋକଙ୍କ ଆତ୍ମ ସଚେତନତା ଯୋଗୁଁ ଏଠାରେ କୋରୋନା ପ୍ରବେଶ କରିପାରିନାହିଁ । ଏଠାକାର ଲୋକେ ସେଭଳି କୌଣସି କାମ ନଥିଲେ ଗାଁରୁ ବାହାରକୁ ଆସୁନାହାନ୍ତି । ଆସିଲେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଫେରୁଛନ୍ତି । ଗାଁରେ କୋରୋନାର ଭୟ ନଥିବାରୁ ଲୋକେ ମାସ୍କ ମଧ୍ୟ ପରିଧାନ କରୁନାହାନ୍ତି । ସେମାନେ ବର୍ତମାନ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟୀକା ନେବାକୁ ଚାହୁଁଥିଲେ ମଧ୍ୟ ଏଥିପାଇଁ ବାହାରକୁ ଯିବାକୁ ଥିବାରୁ ଏହା ଏଯାଏଁ ନେଇନାହାନ୍ତି ।