ଗଜପତି: ଶିଶୁ ସୁରକ୍ଷା କ୍ଷେତ୍ରରେ ସାରା ଦେଶରେ ଗଜପତି ଜିଲ୍ଲାକୁ ସଫଳତା । ଏକଦା ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ଶିଶୁ ନିର୍ଯାତନାର ପେଣ୍ଠସ୍ଥଳୀ ପାଲଟିଥିବା ଗଜପତି ଆଜି ଦେଶର ଶ୍ରେଷ୍ଠ ୨୦ ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି । ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ଦ୍ଵାରା ମିଳିତ ଭାବେ ଆୟୋଜିତ ସମାରୋହରେ ଜିଲ୍ଲା ପାଇଁ ଏ ସମ୍ମାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।
ଶିଶୁ ମାନେ କିପରି ନିଶା ସେବନ ଏବଂ ବ୍ୟବସାୟରୁ ଦୂରେଇ ରହିବେ ଏବଂ ଜିଲ୍ଲାରୁ ଶିଶୁ ଚାଲାଣ ଦୂର ହେବ ସେଥିପାଇଁ ଦୂରପ୍ରସାରି ତଥା ସମୟୋଚିତ ପଦକ୍ଷେପ ମାଧ୍ୟମରେ ଗଜପତି ଜିଲ୍ଲା କାର୍ଯ୍ୟ କରିଆସୁଥିଲା । ପୂର୍ବରୁ ଏଠାକାର କୋମଳମତି ଶିଶୁ ମାନଙ୍କୁ ଗୋଆ, ମୁମ୍ବାଇ କୋଏମ୍ବାଟୁର, ଚେନ୍ନାଇ, ସୁରତ ଆଦିକୁ ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରେରଣ କରାଯାଉଥିଲା । କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଠନ କରାଯିବା ପରେ ଆଜି ସୁଦ୍ଧା ରାଜ୍ୟ ବାହାରରୁ ୨୧୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଥଇଥାନ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଛି ।
ଜିଲ୍ଲାରେ ସଂପୂର୍ଣ୍ଣ ଭାବରେ ରୋକିବା ପାଇଁ ୧୮ଟି ସମ୍ବେଦନଶୀଳ ଗ୍ରାମ ପଞ୍ଚାୟତକୁ ଚିହ୍ନଟ କରାଯାଇ ସେଠାରେ ସର୍ଭେ ମାଧ୍ୟମରେ ବିଭିନ୍ନ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଗଲା । ସ୍ଥାନୀୟ ଜନସାଧରଣଙ୍କ ଦ୍ବାରା ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମକୁ ଆହୁରି ମଜବୁତ କରାଗଲା । ଏହାର ଫଳସ୍ଵରୂପ ବର୍ତ୍ତମାନ ସୁଦ୍ଧା ଶିଶୁ ଚାଲାଣକାରୀଙ୍କ ବିରୁଦ୍ଧରେ ୧୯ ଗୋଟି ମକଦ୍ଦମା ରୁଜୁ କରି ୩୫ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ।