ଗଜପତି:ବଞ୍ଚି ଥାଉଥାଉ ନିଜ ପାଇଁ ନିଜେ କବର ଖୋଳିବା କଥା ଆପଣ କେବେ ଶୁଣିଛନ୍ତି କି ? ଏବେ କିନ୍ତୁ ଏପରି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସୌରୀ ଗାଁରେ ବଞ୍ଚି ଥାଉ ଥାଉ ନିଜ ପାଇଁ ଓ ନିଜ ପତ୍ନୀଙ୍କ ପାଇଁ କବର ତିଆରି କରିଛନ୍ତି ବୃଦ୍ଧ ଲକ୍ଷ୍ମଣ। ମୃତ୍ୟୁ ପରେ କାଳେ କିଏ ସାହା ହେବ କି ନାହିଁ, ସେ ନେଇ ନିଜେ ନିଜ ପାଇଁ ସମାଧି କରିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଘଟଣା ।
ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁ । ଲକ୍ଷ୍ମଣଙ୍କ ବୟସ ୮୦ ବର୍ଷ ହୋଇଥିବା ବେଳେ ପତ୍ନୀଙ୍କ ବୟସ ଏବେ ୭୦ ଟପିଲାଣି। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ବୟସର ଅପରାହ୍ନରେ ପହଞ୍ଚିବା ପରେ ଦୁଇ ପୁଅ ପରମ ଭୁୟାଁ, ପବିତ୍ର ଭୂୟାଁ ଏବଂ ଝିଅ ମାଳତୀ ରଇତକୁ ବିବାହ କରାଇ ଦେଲେ ଲକ୍ଷ୍ମଣ । ସମସ୍ତେ ବିବାହ ପରେ ଏବେ ଘର ଛାଡ଼ି ଆନ୍ୟତ୍ର ରହୁଛନ୍ତି । ପରିଣତ ବୟସରେ ବୃଦ୍ଧା ବାପା ମାଆଙ୍କ ସେବା କରିବା ପାଇଁ ପାଖରେ କେହି ନଥିବା ବେଳେ ଘରେ କେବଳ ବୁଢା ବୁଢି ହିଁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଉଭୟେ ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ, ମୃତ୍ୟୁ ପରେ କାଳେ କିଏ ସାହା ହେବେକି ନାହିଁ, ସେନେଇ ନିଜେ ଲକ୍ଷ୍ମଣ କରିଛନ୍ତି ଏଭଳି ଉଦ୍ୟମ । କିଭଳି ମୃତ୍ୟୁ ପୂର୍ବରୁ ନିଜ ପାଇଁ ଓ ନିଜ ପତ୍ନୀଙ୍କ ପାଇଁ ଏକ କବର ତିଆରି କରିବେ ସେଥିପାଇଁ ସେ ଘର ଧାନ, ବଗଡରୁ ଆଦାୟ ହେଉଥିବା କାନ୍ଦୁଲ,ଝୁଡୁଙ୍ଗ, କାଜୁ ଓ ଦୁଇଟି ଗାଈ ଆଦି ବିକ୍ରି କରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଓ ପତ୍ନୀଙ୍କ ଦୁଇଟି ସମାଧି ତିଆରି କରିଛନ୍ତି ।