ଗଜପତି:ଗଜପତି ଉତ୍ସବ-2022’ ଏବଂ ପଲ୍ଲୀଶ୍ରୀ ମେଳାର ମେଳାର ଚତୁର୍ଥ ସନ୍ଧ୍ୟା। । ପାରମ୍ପରିକ ନାଚ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାରୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଲୁପ୍ତ ପ୍ରାୟ ଲୋକକଳା ଓ ଲୋକନୃତ୍ୟକୁ ପ୍ରାଧାନ୍ୟ ଦିଆଯାଇ ଏହାକୁ ପରିବେଷଣ କରାଯାଇଥିଲା । ଏହି ସନ୍ଧ୍ୟାରେ ଓଡ଼ିଆ ସିନେ ଜଗତର ହିଟ୍ ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଅଭିନୟ ଯାଦୁରେ ବିଭୋର ହୋଇଥିଲେ ଦର୍ଶକ । ଏହା ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରଙ୍କ ନୃତ୍ୟ ମଧ୍ୟ ବେଶ ଆକର୍ଷଣୀୟ ଥିଲା । ତେବେ କୋରାପୁଟରୁ ଆସିଥିବା କଳାକାରଙ୍କ ଢେମ୍ସା ଏବଂ ଗଞ୍ଜାମରୁ ଆସିଥିବା କଳାକାରଙ୍କ ରଣପା ନୃତ୍ୟ ଏବଂ ସ୍ଥାନୀୟ କଳାକାରଙ୍କ ଲୋକନୃତ୍ୟ ଶୀତୁଆ ରାତିରେ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରିଦେଇଥିଲା । ଫଳରେ ଅନେକ ରାତି ଯାଏଁ ବିଭିନ୍ନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକ ।
ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚତୁର୍ଥ ସନ୍ଧ୍ୟାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୋହନା ବ୍ଲକର ଅଧ୍ୟକ୍ଷ ରାଜୀବ ଶବର, ଜି.ଉଦୟଗିରି ବ୍ଲକର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ନୂଆଗଡ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ରାୟଗଡା ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣମାସୀ ନାୟକ, ଗୁମ୍ମା ବ୍ଲକ ଅଧ୍ୟକ୍ଷ ସୁନେମୀ ମଣ୍ଡଳ, କାଶୀନଗର ବ୍ଲକ ଅଧ୍ୟକ୍ଷା ବି.ସାୟାମ୍ମା, କାଶୀନଗର ଏନଏସି ଅଧ୍ୟକ୍ଷା ଏମ.ସୁଧାରାଣୀ ଏବଂ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ.ବୀରରାଜୁ ପ୍ରମୁଖ ଯୋଗଦେଇ ଗଜପତି ଉତ୍ସବ ଆୟୋଜନର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବାଥିଲେ । ରାଜ୍ୟ ଏବଂ ରାଜ୍ୟ ବାହାରୁ କଣ୍ଠଶିଳ୍ପୀ ଏବଂ ବିଭିନ୍ନ କଳାକାର ଏହି ମଞ୍ଚରେ ନିଜ କଳାର ପ୍ରଦର୍ଶନ କରିଥିଲେ । ଗୁଜରାଟରୁ ଆସିଥିବା କଳାକାରଙ୍କ ଗରର୍ବା , ହରିୟାଣାର ଫଗ୍ ଲୋକନୃତ୍ୟ, ମଧ୍ୟପ୍ରଦେଶର ଲୋକନୃତ୍ୟ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାରୁ ଦର୍ଶକଙ୍କ ଭିଡ଼ ଜମିଥିଲା ।