ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ । ଯାହାକୁ ନେଇ ଚିନ୍ତାରେ ଚାଷୀ । ସରିବାକୁ ବସିଲାଣି ଡିସେମ୍ବର ମାସ । ତଥାପି ଜିଲ୍ଲାରେ ଖୋଲୁନି ମଣ୍ଡି । ଏପରିକି ଗତ 7 ତାରିଖରେ ହୋଇଥିବା ପ୍ରସ୍ତୁତି ବୈଠକରେ ଧାର୍ଯ୍ୟ ତାରିଖ ବିତି ସାରିଥିଲେ ମଧ୍ୟ ମଣ୍ଡି ନଖୋଲିବା ଚାଷୀଙ୍କୁ ଦ୍ବନ୍ଦ୍ବରେ ପକାଇଛି । ପ୍ରଶାସନ ମଣ୍ଡି ଦାୟିତ୍ବ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ଦେବା ପାଇଁ ପ୍ରୟାସ କରୁଥିବା ବେଳେ ସମୟବାୟ ସମିତି ଏହାକୁ ବିରୋଧ କରୁଛନ୍ତି । ଏଭଳି ସ୍ଥିତିରେ ମଣ୍ଡି କେବେ ଖୋଲିବ ତାହାକୁ ନେଇ ଚାଷୀ ଦ୍ବନ୍ଦ୍ବ ମଧ୍ୟରେ ପଡି ରହିଛନ୍ତି । ଅମଳ ଧାନକୁ ରଖିବା ପାଇଁ ସ୍ଥାନ ଅଭାବରୁ ଚାଷୀ ଖୋଲା ଆକାଶ ତଳେ ପକାଇ ରଖିଛି । ହାଡଭଙ୍ଗା ଶୀତରେ ଏହାକୁ ଜଗି ରହିଛି ।
ଧାନ ସଂଗ୍ରହ ପାଇଁ ଦୁଇଦୁଇ ଥର ପ୍ରସ୍ତୁତି ବୈଠକ ମଧ୍ୟ ବସିଲାଣି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଚାହୁଁଥିବାରୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶାସନ ମଣ୍ଡି ଦାୟିତ୍ବ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ଦେବା ପାଇଁ ଚାହୁଁଛି । ହେଲେ ଏହାକୁ ବିରୋଧ କରି ସମବାୟ ସମିତିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ । ସେମାନଙ୍କ କହିବା ହେଲା ସମବାୟ ସମିତି କାମ ଯଦି ମହିଳା ସ୍ବୟଂସହାୟକ ଗୋଷ୍ଠୀ କରିବେ ତାହେଲେ ସମବାୟ ସମିତି ଏବଂ ଏଥିପାଇଁ କର୍ମକର୍ତ୍ତା ନିର୍ବ।ଚନ ପ୍ରହସନ କାହିଁକି କରୁଛନ୍ତି । ତେଣୁ ସମବାୟ ସମିତିର କାମ ତାକୁ କରିବାକୁ ଦିଆଯାଉ । ଏଭଳି ଦାବି କରି ସମବାୟ ସମିତି ସଦସ୍ୟମାନେ ପ୍ରଶାସନକୁ ଭେଟି ଆଲୋଚନା କରିଛନ୍ତି । ତେବେ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇପାରୁନଥିବାରୁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି ।