ଗଜପତି: ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗୁରୁବାର ସକାଳେ ଗଜପତି ଜିଲ୍ଲାରେ ପହଞ୍ଚିବା ପରେ ମନ୍ତ୍ରୀ ପ୍ରଥମେ କଲେଜରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍କୁଲର ସ୍ଥିତି ସମୀକ୍ଷା କରିଥିଲେ । ସ୍ମାର୍ଟସ୍କୁଲ ହେବାକୁ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏହାପରେ ସେ ବିଭିନ୍ନ କ୍ଲାସକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟ କିଭଳି ଚାଲିଛି ତାହାର ସମୀକ୍ଷା କରିଥିଲେ । ଜିଲ୍ଲାରେ ୧୧୧୪ଟି ବିଦ୍ୟାଳୟ ରହିଥିବା ବେଳେ ୩୮୦୬ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୩୮୪ ଜଣ ହାଇସ୍କୁଲ ଏବଂ ୧୧୨ ଜଣ ପ୍ରାଥମିକ ସ୍କୁଲ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିପରି ମଧ୍ୟାହ୍ନ ଭଜନ, ଡ୍ରେସ ଓ ପାଠ୍ୟପୁସ୍ତକ ବଣ୍ଟନ ଆଦିକୁ ନେଇ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଗଜପତି ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ ମୋବାଇଲ ନେଟୱାର୍କର ସମସ୍ୟା ରହୁଛି ।