ଓଡିଶା

odisha

ETV Bharat / state

ଯାଇଛି ତିତିଲି, ଦେଇଛି ଦୁଃଖ: ବେସାହାରାଙ୍କ ସହ ଖୁସି ସାଉଁଟିଲେ ଜିଲ୍ଲାପାଳ - titili-affected-pepople

ସେଦିନର ସକାଳର ସୂର୍ଯ୍ୟ ଉଇଁବା ପୂର୍ବରୁ ଅନେକଙ୍କ ଜୀବନ ଦୀପ ଅସ୍ତ ହୋଇଯାଇଥିଲା । କିଏ ଚାଲି ଶିଖିବା ପୂର୍ବରୁ ପିତା ମାତାଙ୍କୁ ହରାଇଥିଲ ତ, ଆଉ କିଏ ଘରର ରୋଜଗାରିଆ ପୁଅକୁ ହରାଇ ବେସାହାରା । ଏପରି ଦୁଃଖଦପୁର୍ଣ୍ଣ ମୁହୂର୍ତ୍ତରେ ସେମାନଙ୍କୁ ଖୁସି ବାଣ୍ଟିଛନ୍ତି ଜିଲ୍ଲାପାଳ ଅନୁପମ ସାହା ।

ଡ଼ିଜାଇନ୍ ଫଟୋ

By

Published : Oct 12, 2019, 12:06 AM IST

ଗଜପତି: ବାତ୍ୟା ତିତିଲିର ପ୍ରଭାବରେ ଛାରଖାର ହୋଇଥିବା ଗଙ୍ଗାବାଡ ପଂଚାୟତର ବିଭିନ୍ନ ଅଂଚଳ ଗସ୍ତ କରି ବାତ୍ୟା କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଏହି ସମୟରେ ଲୋକଙ୍କୁ ଜିଲ୍ଲାପାଳ ଚକଲେଟ ଦେବା ସହ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି । ଜିଲ୍ଲାପାଳଙ୍କୁ ପାଖରେ ପାଇ ଲୋକେ ସେମାନଙ୍କ ଦୁଖଃକୁ ଭୁଲି କିଛି ସମୟ ହସ ଖୁସିରେ ବିତାଇଥିଲେ । ଜିଲ୍ଲାପାଳଙ୍କ ଏଭଳି ମାନବିକତାକୁ ବିଭିନ୍ନ ମହଲରେ ସ୍ବାଗତ ସହ ପ୍ରଶଂସା ମଧ୍ୟ କରାଯାଇଛି ।

ବେସାହାରାଙ୍କ ସହ ଖୁସି ସାଉଁଟିଲେ ଜିଲ୍ଲାପାଳ

2018 ମସିହା ଅକ୍ଟୋବର 10 ତାରିଖ ମଧ୍ୟରାତ୍ରରେ ତିତିଲି ତାର ତାଣ୍ଡବ ରଚିବା ଆରମ୍ଭ କରିଥିବା ବେଳେ 11 ତାରିଖ ସକାଳ ପ୍ରାୟ 12ଟା ଯାଏଁ ତାହା ଜାରି ରହିଥିଲା । ଫଳରେ ଧ୍ବସ୍ତ ବିଧ୍ବସ୍ତ ହୋଇଥିଲା ମହେନ୍ଦ୍ରଗିରି ପାଦଦେଶ । ଗଙ୍ଗାବାଡ ଏବଂ କଇଁପୁର ପଞ୍ଚାୟତ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ପାହାଡ ଧସିବା ସହ ସୃଷ୍ଟି ହୋଇଥିବା ବନ୍ୟା ଜଳରେ ଭାସିଯାଇ ଜିଲ୍ଲାରେ 48ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଏହି ଘଟଣାକୁ ଏକ ବର୍ଷ ପୁରୁଥିବା ବେଳେ ନିଜ ଆତ୍ମୀୟ ସ୍ବଜନକୁ ହରାଇଥିବା ଲୋକେ ଏହି ଦିନ ସେମାନଙ୍କୁ ମନେ ପକାଇ ଅଧିକ ଦୁଃଖି ହେବା ସ୍ବାଭାବିକ ।

ତେଣୁ ଏଥିରୁ ନଜର ହଟାଇ କିଛି ସମୟ ପାଇଁ ସେମାନଙ୍କ ସହ ରହି ସେମାନଙ୍କୁ ଖୁସି କରିବା ଲକ୍ଷରେ ଜିଲ୍ଲାପାଳ ଆଜି ହଠାତ ଏହି ଅଞ୍ଚଳ ଗସ୍ତ କରିଥିଲେ । ସାଙ୍ଗରେ ନେଇଥିବା ଚକୋଲେଟ ପିଲା ଠାରୁ ବୁଢା ସମସ୍ତଙ୍କୁ ବାଣ୍ଟିଥିଲେ । କିଛି ସମୟ ସେମାନଙ୍କ ସହ ରହି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି ସମୟରେ ଅନେକ ସମସ୍ୟା ଆଜିବି ସମାଧାନ ହେବାର ଆବଶ୍ୟକତା ରହିଥିବା ଜିଲ୍ଲାପାଳ ଅନୁଭବ କରିଥିଲେ । ଯାହାକୁ ଅତିଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଗତବର୍ଷ ଠିକ ଏହି ଦିନ ସକାଳର ସିନ୍ଦୁରା ଫାଟିବା ବେଳକୁ କିଏ ନିଜର ବୃଦ୍ଧ ପିତା ମାତାଙ୍କୁ ହରାଇ ସବୁଦିନ ପାଇଁ ଅନାଥ ହୋଇଯାଇଥିଲା ତ ଆଉ କିଏ ନିଜର ଭବିଷ୍ୟତ ପିଡିକୁ ହରାଇ ନିଜର ଅନ୍ଧାର ଭବିଷ୍ୟତକୁ ନେଇ ଭାବ ବିଭୋଳ ହୋଇଯାଇଥିଲା । ଯଦିଓ ଏହି ଘଟଣା ଆଜିବି ଲୋକଙ୍କ ମନରେ ତାଜା ହୋଇ ରହିଛି ଏବଂ ପ୍ରତିଦିନ ଏହାକୁ ମନେ ପକାଇ ଲୋକେ ନିଜର ଆତ୍ମୀୟ ସ୍ବଜନକୁ ଝୁରୁଛନ୍ତି । ତଥାପି ଆଜିର ଦିନରେ ସେମାନଙ୍କୁ ଏହା ଅଧିକ ଆନ୍ଦୋଳିତ କରିବା ସ୍ବଭାବିକ । ତେଣୁ ଲୋକଙ୍କ ଏହି ଦୁଖଃରେ ସହଭାଗି ହେବା ପାଇଁ ଜିଲ୍ଲାପାଳ ଏହି ଅଂଚଳକୁ ଯାଇଥିବା ବେଳେ ଲୋକେ ଏହାକୁ ଦେଖି କିଛି ସମୟ ପାଇଁ ନିଜର ସବୁ ଦୁଃଖକୁ ଭୁଲିଯାଇଥିଲେ । କିଛି ସମୟ ପାଇଁ ଖୁସି ହୋଇଥିଲେ । ଜିଲ୍ଲାପାଳଙ୍କୁ ପାଖରେ ପାଇ ନିଜର ବିଭିନ୍ନ ସମସ୍ୟା ସଂପର୍କରେ ଜଣାଇଥିଲେ । ପ୍ରଶାସନ ଆମ ସହ ରହିଛି ଏହା ବାତ୍ୟା ପରବର୍ତି ସମୟରୁ ଆମେ ଉପଲବ୍ଧି କରିଛୁ । ସରକାର ଏବଂ ପ୍ରଶାସନ ଅନେକ କିଛି ଯୋଗାଇ ଦେଇଛନ୍ତି । କିନ୍ତୁ ଲୋକଙ୍କ ଜୀବନ ଜୀବିକା ପାଇଁ ବ୍ୟବସ୍ଥା କରିବାକୁ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିବା କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details