ଗଜପତି:ଚଳିତ ବର୍ଷ ଚୀନର ହୁଆଙ୍ଗଝୁ ଠାରେ ହେବାକୁ ଥିବା ଏସିଆନ ଗେମ୍ସ 2023ରେ ଭାରତୀୟ ସଫ୍ଟବଲ୍ ମହିଳା ଦଳରେ ଜଣେ ମାତ୍ର ଓଡ଼ିଆ ଝିଅ ଶ୍ଵେତସ୍ଵୀନି ଶବର ସ୍ଥାନ ପାଇଛନ୍ତି । ରାଜ୍ୟ ଓ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଶ୍ବେତସ୍ବୀନି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଦୁର୍ଗମ ଅଞ୍ଚଳ ଗୁମା ବ୍ଲକର ଆଦିବାସୀ ଝିଅ ଦେଶ ପାଇଁ ସଫ୍ଟବଲ୍ ଖେଳିବେ । ଏଥିପାଇଁ ଭାରତୀୟ 16 ଜଣିଆ ମହିଳା ଟିମରେ ସ୍ଥାନ ପାଇଛନ୍ତି ।
ଏସିଆନ ଗେମ୍ସ ଶ୍ବେତସ୍ବିନୀ ଭାଗ ନେବାକୁ ମନୋନୀତ ହୋଇଥିବାରୁ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ପ୍ରଦାନ ଦେଇ ଶୁଭେଚ୍ଛା ଜଣାଇଥିଲେ । ଅନ୍ତର୍ଜାତୀୟ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଭାରତ ସାମିଲ ହୋଇଥିବା ବେଳେ ଭାରତୀୟ ମହିଳା ଦଳରେ ଆଦିବାସୀ ଝିଅ ଶ୍ବେତସ୍ବିନୀ ଶବର ସାମିଲ ହୋଇଛନ୍ତି । ଗଜପତି ଜିଲ୍ଲା ଗୁମ୍ମାର ଜଣେ ଝିଅ ଅନ୍ତର୍ଜାତୀୟ ଦଳରେ ଭାରତ ପାଇଁ ପ୍ରତିନିଧୀତ୍ବ କରିବା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ।
ଗୁମ୍ମା ବ୍ଲକ ବଡକଳାକୋଟର ଶ୍ବେତସ୍ବିନୀ ଶବର ଧର୍ମେନ୍ଦ୍ର ଓ ଶାନ୍ତି ଶବରଙ୍କ ବଡ ଝିଅ । ତାଙ୍କ ନିଷ୍ଟା ଓ କଠିନ ପରିଶ୍ରମ ବଳରେ ଉଚ୍ଚ ଶିକ୍ଷା ହାସଲ କରିଥିଲେ । ସେ ଅନ୍ତର୍ଜାତୀୟ ମହିଳା ସଫ୍ଟ ବଲ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ବ କରିବେ । ଏନେଇ ଭାରତୀୟ ସଫ୍ଟ ବଲ ସଂଘ ପକ୍ଷରୁ ତାଙ୍କ ନିକଟକୁ ପତ୍ର ଆସିବା ପରେ ସେ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଶ୍ବେତସ୍ବୀନୀଙ୍କ ଏହି ସଫଳତା ଖବର ପ୍ରଚାରିତ ହୋବାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।