ଗଜପତି: ରାଜ୍ୟରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଜିଲ୍ଲାବାସୀ ଭୟଭୀତରେ ରହୁଛନ୍ତି । ତେବେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ, ବରଂ ସମସ୍ତେ ସରକାର ଏବଂ ପ୍ରଶାସନର ନିୟମକୁ ମାନି ଚଳିଲେ ଆମେ ନିଶ୍ଚିତ କୋରୋନାକୁ ହରାଇବା ବୋଲି ଗଜପତି ଜିଲ୍ଲାପାଳ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।
ବର୍ତ୍ତମାନ ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ ଅଧିକ ପରୀକ୍ଷା ହେଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ଏକ ଭଲ ଖବର। ତେବେ ସଂକ୍ରମିତ ଚିହ୍ନଟ ହୋଇ ଚିକିତ୍ସିତ ହୋଇପାରିଲେ, ଅନ୍ୟମାନଙ୍କ ପାଇଁ ବିପଦ ନାହିଁ । ତେଣୁ ଯାହାଙ୍କ ଠାରେ କିଛି ଲକ୍ଷଣ ଦେଖାଯାଉଛି, ସେମାନେ ନଲୁଚାଇ ପ୍ରଶାସନକୁ ଜଣାନ୍ତୁ । ଫଳରେ ସେମାନଙ୍କ ପରୀକ୍ଷା କରାଯାଇ ଅତିଶୀଘ୍ର ଚିକିତ୍ସା ଯୋଗାଇ ଦିଆଯିବ । ଫଳରେ ସେ ନିଜେ ସୁରକ୍ଷିତ ହେବା ସହ ନିଜର ପରିବାର, ବନ୍ଧୁ ପରିଜନ ଏବଂ ଅନ୍ୟମାନଙ୍କୁ ବିପଦର କାରଣ ହେବେ ନାହିଁ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।
ସୂଚନା ଅନୁଯାୟୀ, ଗତ ଦୁଇମାସ ମଧ୍ୟରେ ଜିଲ୍ଲାରେ ପଜେଟିଭଙ୍କ ସଂଖ୍ୟା ୯ ଶହ ପାର ହୋଇଛି । ପ୍ରଥମେ ସଙ୍ଗରୋଧରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଚିହ୍ନଟ ହେଉଥିବା ପଜେଟିଭଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ବାସିନ୍ଦା କିମ୍ବା କୋରୋନା ଯୋଦ୍ଧା । ତେଣୁ ଜିଲ୍ଲାର ସ୍ଥିତି ବିଗିଡ଼ିବାରେ ଲାଗିଛି । ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି ।