ଗଜପତି: କଥାରେ ଅଛି ଚାଷ କାମ ଯାହାର, କେତେ ସୁଖ ତାହାର । ହେଲେ ବର୍ତ୍ତମାନ ଚାଷ କାମରୁ ଅନେକ ମୁହଁ ଫେରାଇ ନେଉଥିବା ବେଳେ ଯୁଗ ସହ ତାଳ ଦେଇ ଚାଷକୁ ଭିନ୍ନ ଭାବେ କରି ଲାଭବାନ ହେଉଛନ୍ତି ଚାଷୀ । ଏଭଳି ଏକ ଉଦହାରଣ ସୃଷ୍ଟି କରିଛନ୍ତି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମଧୂସୂଦନପୁର ଗାଁର ମୋହନ ପାତ୍ର । ପାରମ୍ପରିକ ଚାଷକୁ ଛାଡି ପିଜୁଳି ଭଳି ଏକ ଲାଭଜନକ ଚାଷରେ ନିଜକୁ ନିୟୋଜିତ କରି ପ୍ରତିବର୍ଷ 2ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାର ଦେବାରେ ସଫଳ ହୋଇପାରିଛନ୍ତି ମୋହନ ପାତ୍ର ।
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମଧୂସୂଦନପୁର ଗାଁର ମୋହନ ପାତ୍ର । ବଂଶ ପରମ୍ପରା ଅନୁସାରେ ପୂର୍ବରୁ ଥିବା ତାଙ୍କ ଗୋଟିଏ ଏକର ଜମିରେ ପାରମ୍ପରିକ ଧାନ ଚାଷ କରୁଥିଲେ । ହେଲେ ଏଥିରେ ସେତେଟା ଲାଭ ମିଳିନଥିଲା । ଫଳରେ ସେ ପନିପରିବା ଚାଷ ଆରମ୍ଭ କରିଥିଲେ । ସେଥିରେ ମଧ୍ୟ ତାଙ୍କୁ ଏତେଟା ସଫଳତା ମିଳିନଥିଲା । ଏହି ସମୟରେ ଉଦ୍ୟାନ ବିଭାଗର ପରାମର୍ଶ ଲୋଡିଥିଲେ ମୋହନ । ଉଦ୍ୟାନ ବିଭାଗ ତାଙ୍କୁ ପିଜୁଳି ଚାଷ ସଂପର୍କରେ ବୁଝାଇବା ସହ ତାଲିମ ପାଇଁ ଖୋର୍ଦ୍ଧା ପଠାଇଥିଲେ । ତାଲିମ ଗ୍ରହଣ ପରେ ପାରଳାଖେମୁଣ୍ଡି ଉଦ୍ୟାନ ବିଭାଗ କାର୍ଯ୍ୟ।ଳୟ ପରିସରରେ କିଛି ଦିନ ରହି ଚାରା ଉତ୍ପାଦନ ସଂପର୍କରେ ଜ୍ଞାନ ଆହରଣ କରିଥିଲେ । ଏହାପରେ ସେ ତାଙ୍କ ଅଧା ଏକର ଜମିରେ ପିଜୁଳି ଚାଷ ଆରମ୍ଭ କରିଥିଲେ ।
ପ୍ରଥମେ ଉଦ୍ୟାନ ବିଭାଗ ପକ୍ଷରୁ 275ଟି ଗଛ ତାଙ୍କୁ ଯୋଗାଇ ଦିଆଯାଇଥିଲା । 2019 ମସିହାରେ ସେ ପ୍ରଥମେ ଏହି ଚାଷ ଆରମ୍ଭ କରିଥିଲେ । ହେଲେ ପ୍ରଥମ ବର୍ଷ ଅଳ୍ପ ପିଜୁଳି ଅମଳ ହୋଇଥିଲା । ତେବେ ଏହା ପରଠାରୁ ଗତ 3 ବର୍ଷ ହେଲା ପ୍ରତିବର୍ଷ ପିଜୁଳି ଅମଳ ଅଧିକରୁ ଅଧିକ ହେଉଛି । ବର୍ତ୍ତମାନ ନିଜ ଉଦ୍ୟମରେ ସେ ଚାରା ଉତ୍ପାଦନ କରି ଆହୁରି ଅଧିକ ଗଛ ଲଗାଇଛନ୍ତି । ମୋହନ ନିଜ ଜମିରେ 5ଶହ ଗଛ ଲଗାଇଥିବା ବେଳେ ସେଥିରୁ ବର୍ଷକୁ ପ୍ରାୟ 4ଟନ୍ ପିଜୁଳି ଉତ୍ପାଦନ ହେଉଛି । କିଲୋ 50ଟଙ୍କା ହିସାବରେ ସେ ବିକ୍ରି କରୁଥିବା ବେଳେ ବର୍ଷକୁ ପ୍ରାୟ 2ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି ।