ଗଜପତି: ସେ ବା ଅଲିଅଳି.... ଭାଇ ଆଗରେ ଭଉଣୀ ବା ସବୁବେଳେ କୁନି ପିଲା । ଦେଖୁନାହିଁନ୍ତି କେମିତି ବୁଢୀ ଭଉଣୀକୁ ତେଲ ଲଗେଇ ଦଉଛି ବୁଢା ଭାଇ । ଆଉ ଚୁଲିକୁ ବାଉଁଶ ନଳୀରେ ଫୁଙ୍କିଦେଉଛି....ଡାଲମା ବସିଛି ବା... ଜଲଦି ଜଲଦି ହେଲେ ଖାଇବ ସୁନାନାକୀ ଭଉଣୀ । ଏହା ଭାଇ ଭଉଣୀଙ୍କ ମିଛ ମିଛିକା ଖେଳ ନୁହେଁ, ସତ ସତକା ଜୀବନର ଖେଳ । ରାକ୍ଷୀ ପାଉଣା ଆଗରେ ବନ୍ଧା ପଡି ବୃଦ୍ଧାବସ୍ଥାରେ ଭଉଣୀର ଏମିତି ଶେବାସୁଶ୍ରୁଶା କରୁଛି ଭାଇ । ହାତରେ ବାନ୍ଧିଥିବା ରାକ୍ଷୀର ମୂଲ୍ୟ ଦେବାକୁ ଯାଇ ଭାଇ ଛାଡିନି ଭଉଣୀର ହାତ । ଆଉ ଏ ଦୃଶ୍ୟ ଯିଏ ଦେଖୁଛି ସେ କହୁଛି ଏମିତି ଭାଇ ଜଗତେ ନାହିଁ ।
ପରିଣତ ବୟସରେ ମଧ୍ୟ ଭିନ୍ନକ୍ଷମ ଭଉଣୀର ସେବା କରୁଛନ୍ତି ଭାଇ । ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ଅନ୍ୟମନଙ୍କ ପାଇଁ ଉଦାହରଣ ପାଲଟିଛି । ଏପରି ଏକ ନିଆରା ଭାଇ ଭଉଣୀ ସମ୍ପର୍କ ଦେଖିବାକୁ ମିଳିଛି ଗଜପତି ରାଇଯୁକ ଗାଁରେ । ଭାଇ କାଶୀନାଥ ବିଶୋଇ ଓ ତାଙ୍କ ବଡ ଭଉଣୀ ସୁଲକ୍ଷଣୀ ବିଶୋଇ । ବଡ ଭଉଣୀର ବୟସ 80 ଟପିଥିବା ବେଳେ ଭାଇର ବୟସ 75 l ପରିଣତ ବୟସରେ ସାନ ଭାଇ କାଶୀନାଥ ବଡ ଭଉଣୀ ସୁଲକ୍ଷଣିଙ୍କ ସେବା କରୁଛନ୍ତି । ହେଲେ ଏବେ ପରିଣତ ବୟସ ତାଙ୍କ ପାଇଁ ବାଧକ ସାଜିଛି । କାର୍ଯ୍ୟ କରି ଭଉଣୀ ଓ ନିଜକୁ ଚଳେଇବା ତାଙ୍କ ପାଇଁ ମୁସ୍କିଲ ହୋଇଛି । ଏପଟେ ସରକାରଙ୍କ ପକ୍ଷରୁ କେବଳ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ଥିବା କହିଛନ୍ତି କାଶୀ । ପରିଣତ ବୟସରେ କାର୍ଯ୍ୟ କରିବା ସମ୍ଭବ ପର ହେଉ ନଥିବାରୁ ସରକାର ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି କରିଛନ୍ତି ଗୁହାରି ।
କାଶୀନାଥ କହିଛନ୍ତି, ‘‘ପ୍ରାୟ 60 ବର୍ଷ ତଳେ ଘରେ ରୋଷେଇ କରୁଥିବା ବେଳେ ଭାତହାଣ୍ଡି ପଡିଯାଇଥିଲା ଚୁଲିରେ । ଫଳରେ ଭଉଣୀ ସୁଲକ୍ଷଣୀଙ୍କ ମୁଁହ ସମ୍ପୂର୍ଣ୍ଣ ପୋଡିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ । ହେଲେ ସବୁଦିନ ପାଇଁ ନିଜ ଦୃଷ୍ଟିଶକ୍ତିକୁ ହରେଇ ବସିଥିଲେ । ବାପା-ମା ଚାଲିଗଲା ପରେ ମୋ ଭଉଣୀକୁ ମୁଁ ସେବା କରିବିନି ତ ଆଉ କିଏ ସେବା କରିବ । ହେଲେ ପରିଣତ ବୟସରେ ପହଞ୍ଚିବା ପରେ ତାର ସେବା କରି ରୋଜଗାର କରିବା କଷ୍ଟକର ହୋଇପଡୁଛି । ସରକାରଙ୍କ ପକ୍ଷରୁ କେବଳ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । ଯେଉଁଥିରେ ଚଳିବା ସମ୍ଭବ ପର ହେଉ ନଥିବାରୁ ସରକାର ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି ଗୁହାରି କରିଛନ୍ତି ।’’