ଗଜପତି: ଜମୁଛି ଗଜପତି ମହୋତ୍ସବ । ଏହି ଉତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କର ପ୍ରବଳ ଭିଡ଼ ଜମିଥିଲା । କାରଣ ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ମଞ୍ଚ ଉପରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଦମଦାର ଡ୍ୟାନ୍ସ । ଯାହାକୁ ଦେଖି ଲୋକେ ଅଧିକ ଆନନ୍ଦିତ ହେବାସହ ମଜା ଉଠାଇଥିଲେ । ଏଥିରେ ଉଭୟ ଜିଲ୍ଲାପାଳ ଲିଙ୍ଗାରଜ ପଣ୍ଡା ଏବଂ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନୃତ୍ୟ ଦର୍ଶକଙ୍କ ମନମୋହିଥିଲା । ସ୍ଥାନୀୟ କଳାକାରଙ୍କ ଆଦିବାସୀ ନୃତ୍ୟ ସହ ତାଳ ଦେଇ ମଞ୍ଚ ଦୁଲକାଇଲେ ୨ ଜିଲ୍ଲାପାଳ । ଏହାକୁ ଦର୍ଶକ ମନଭରି ଉପଭୋଗ କରିବା ସହ ତାଳି ମାରି ଉତ୍ସାହିତ କରିଥିଲେ ।
ତୃତୀୟ ରଜନୀର ଶେଷ ବେଳକୁ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ପରିବେଷିତ ଆଦିବାସୀ ନୃତ୍ୟର ତାଳେ ତାଳେ ମଞ୍ଚ ଉପରେ ଖୁବ ନାଚିଥିଲେ ଉଭୟ ଜିଲ୍ଲାପାଳ । ପରେ ଗୋପାଳପୁରର ପ୍ରିନ୍ସ ଡ୍ୟାନ୍ସ ଗୃପ ଏବଂ କଳାହାଣ୍ଡିର ଘୁମରା ନୃତ୍ୟ ଦେଖିବାକୁ ମିଳିଥିଲା । ଏହାସହ ନବରଙ୍ଗପୁର ସମେତ ସ୍ଥାନୀୟ କଳାକାରଙ୍କ ଲୋକନୃତ୍ୟ ଶୀତୁଆ ରାତିରେ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରିଦେଇଥିଲା । ତେଣୁ ବିଳମ୍ବିତ ରାତି ଯାଏଁ ବିଭିନ୍ନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକ । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାର ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମୁଖ୍ୟ ଜଙ୍ଗଲ ସଂରକ୍ଷଣ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର, ଗଜପତି ଏସପି ସ୍ବାତୀ ଏସ.କୁମାର, ଡିଏଫଓ ଅମ୍ଲାନ ନାୟକ, ପାରା ଅଲମ୍ପିଆଡ ପୂଜାଶ୍ବିନୀ ନାୟକ, ପର୍ବତାରାହୀ ଗଣେଶ ଜେନା ପ୍ରମୁଖ ଯୋଗଦେଇ ଜିଲ୍ଲାର ବୈଶିଷ୍ଟ୍ୟତା ସମ୍ପର୍କରେ ଆଲୋଚନା କରିଥିଲେ ।