ଗଜପତି: ଜଗପତି କାର୍ଯ୍ୟ ନାମକ ବ୍ୟକ୍ତି ପ୍ରାୟ ୪୦ ବର୍ଷ ତଳେ ପେଟ ପାଇଁ ଗ୍ରାମର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ କାମ କରିବାକୁ ଅରୁଣାଞ୍ଚଳ ପ୍ରଦେଶ ଯାଇଥିଲେ। କିନ୍ତୁ କିଛି ଦିନ କାର୍ଯ୍ୟ କଲାପରେ କୌଣସି କାରଣବଶତଃ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା । ଏହାପରେ ତାଙ୍କ ତିନିବନ୍ଧୁ ଅରୁଣାଞ୍ଚଳରୁ ଫେରିଆସିଲେ କିନ୍ତୁ ଜଗପତି କାର୍ଯ୍ୟ ଆସିଲେ ନାହିଁ। ଏହାପରେ ସେ ଅରୁଣାଞ୍ଚଳ ପ୍ରଦେଶର ଲୋୟର ସୁବାସିନୀ ଜିଲ୍ଲାର ଏକ ଜଙ୍ଗଲରେ ବସବାସ କରିବାକୁ ଲାଗିଥିଲେ । ବର୍ତ୍ତମାନ ସେ ବୃଦ୍ଧାବସ୍ଥାରେ ରହିଥିବାବେଳେ ଏସଂପର୍କରେ ଜଣେ ସ୍ଥାନୀୟ ଶିକ୍ଷକ ତାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଏହାପରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜଗପତି କାର୍ଯ୍ୟଙ୍କୁ ନିଜ ମୂଳ ବାସସ୍ଥଳୀକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଇଛି । ସେଥିପାଇଁ ଜିଲ୍ଲା ସହ ଶ୍ରମ ଅଧିକାରୀ ଏବଂ ଜଗପତି କାର୍ଯ୍ୟଙ୍କର ପୁତୁରା ମକୁନ୍ଦି ଭୂୟୀ ଅରୁଣାଞ୍ଚଳ ପ୍ରଦେଶ ଅଭିମୁଖେ ରବିବାର ଦିନ ଯାତ୍ରା ଆରମ୍ଭ କରିଛନ୍ତି ।
ଜଗପତି କାର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ଦୟା ଭୂୟାଁ । ତାଙ୍କ ଘର ଗଜପତି ଜିଲ୍ଲା ତାଳମଣ୍ଡା ପଞ୍ଚାୟତର ଅବାସିଂରେ । ସ୍ବର୍ଗତଃ ମାଗତା ଭୂୟାଁଙ୍କର ସେ ବଡ ପୁଅ । ବହୁବର୍ଷ ପୂର୍ବରୁ ତାଙ୍କ ବାପାମାଆଙ୍କ ପରଲୋକ ହୋଇସାରିଛି । ବର୍ତ୍ତମାନ ତାଙ୍କ ଭାଇ ସୁକୁ ଭୂୟାଁ ଏବଂ ଭଉଣୀ ମଙ୍ଗଳୁ ଭୂୟାଁ ଅବାସିଂ ଗ୍ରାମରେ ବସବାସ କରନ୍ତି । ଜଗପତି କାର୍ଯ୍ୟ ବର୍ତ୍ତମାନ ଅରୁଣାଞ୍ଚଳ ପ୍ରଦେଶର ଲୋୟର ସୁବନସିନୀ ଜିଲ୍ଲାର ଜିରୋ ମାର୍କେଟ ଅଞ୍ଚଳର ଏକ ଜଙ୍ଗଲରେ ଏକାକୀ ବାସ କରୁଛନ୍ତି । କୋରୋନା ଲକଡାଉନ ସମୟରେ ବୃଦ୍ଧ ଜଗପତିଙ୍କୁ ସେଠାକାର ଜଣେ ଶିକ୍ଷକ ଶ୍ରୀ ରୁଗୁଆମା ନିୟମିତ ଖାଇବାକୁ ଦେଉଥିଲେ । ସେ ତାଙ୍କର ଅସଲି ପରିଚୟ ଜାଣିବାପରେ ତାଙ୍କ ବିଷୟରେ ଏକ ଭିଡିଓ ବନାଇ ସୋସିଆଲ୍ ମିଡିଆରେ ଭାଇରଲ୍ କରିଥିଲେ।