ଓଡିଶା

odisha

ETV Bharat / state

ଯୌତୁକ ନିର୍ଯାତନା, ଶ୍ବଶୁର ଘର ଆଗରେ ବୋହୂର ଧାରଣା - ନ୍ୟାୟ ଦାବିରେ ବୋହୂର ଧାରଣା

ସମାଜସେବୀଙ୍କ ଘରେ ଆଇନକୁ ବେଖାତିର । ଯୌତୁକ ପାଇଁ ବୋହୂକୁ ଘରୁ ବାହାର କରି ଦେଇଥିବା ସଙ୍ଗୀନ ଅଭିଯୋଗ । ନ୍ୟାୟ ଦାବିରେ ଶ୍ବଶୁର ଘର ଆଗରେ ଧାରଣାରେ ବସିଲେ ବୋହୂ । ଅଧିକ ପଢନ୍ତୁ

ଯୌତୁକ ନିର୍ଯାତନା, ଶ୍ବଶୁର ଘର ଆଗରେ ବୋହୂର ଧାରଣା
ଯୌତୁକ ନିର୍ଯାତନା, ଶ୍ବଶୁର ଘର ଆଗରେ ବୋହୂର ଧାରଣା

By

Published : Apr 30, 2022, 8:24 PM IST

ଗଜପତି: ସମାଜସେବୀଙ୍କ ଘରେ ଆଇନକୁ ବେଖାତିର । ଯୌତୁକ ପାଇଁ ବୋହୂକୁ ଘରୁ ବାହାର କରି ଦେଇଥିବା ସଙ୍ଗୀନ ଅଭିଯୋଗ । ଶ୍ବଶୁର ଜଣେ ତଥାକଥିତ ସମାଜସେବୀ ହୋଇଥିଲେ ମଧ୍ୟ ବୋହୂଙ୍କ ପ୍ରତି କରିଥିବା ଅନ୍ୟାୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ନ୍ୟାୟ ପାଇଁ କୋର୍ଟ କଚେରୀ ଦୌଡି ଦୌଡି ନୟାନ୍ତ ପରେ ଶେଷରେ ଶ୍ବଶୁର ଘର ସମ୍ମୁଖରେ ଧାରଣା ଦେଇଛନ୍ତି ବୋହୂ । ଡହ ଡହ ତାତିକୁ ଖାତିର ନକରି ନ୍ୟାୟ ପାଇଁ ଅଡି ବସିଛନ୍ତି ସମ୍ପୃକ୍ତ ମହିଳା । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ରାଜସୀତାପୁର ଗ୍ରାମରେ ।

ଯୌତୁକ ନିର୍ଯାତନା, ଶ୍ବଶୁର ଘର ଆଗରେ ବୋହୂର ଧାରଣା

ଗଜପତି ଜିଲ୍ଲାର ତଥାକଥିତ ସମାଜସେବୀ ଏ ଜଗନ୍ନାଥ ରାଜୁଙ୍କ ପୁଅ ଚୈତନ୍ୟ ଗତ ୨୦୧୬ ମସିହା ମାର୍ଚ୍ଚ ୧୧ରେ ରାଜସୀତାପୁର ଗ୍ରାମର ବିଶ୍ବନାଥ ରାଜୁଙ୍କ ଝିଅ ମନିଷାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ଅଧିକ ଯୌତୁକ ଦାବିରେ ବିବାହର ମାତ୍ର କିଛି ମାସ ପରେ ସ୍ୱାମୀ ଓ ଶାଶୁଘର ଲୋକେ ନିର୍ଯାତନା ଆରମ୍ଭ କରିଦେଇଥିଲେ । ଏପରିକି ବିବାହର ୧୫ ମାସ ପରେ ଅର୍ଥାତ୍ ୨୦୧୭ ମସିହା ଜୁଲାଇ ୩ ତାରିଖରେ ମନିଷାଙ୍କୁ ଘରୁ ବାହାର କରିଦେଇଥିଲେ । ମନିଷା ସେହିଦିନ ଠାରୁ ନିଜ ବାପଘରେ ରହିଆସୁଛନ୍ତି ।ସେବେଠାରୁ ବାପଘରେ ରହୁଥିବା ମନିଷା କେବେ ନ୍ୟାୟ ପାଇଁ ଲଢିଛନ୍ତି ତ ପୁଣି କେତେବେଳେ ଭାଗ୍ୟକୁ ନିନ୍ଦି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ।

ଝିଅର ଏଭଳି ସମସ୍ୟାର ସମାଧାନ ପାଇଁ ବାପା ବିଶ୍ବନାଥ ବାରମ୍ବାର ପ୍ରୟାସ କରି ବିଫଳ ହେବା ପରେ ଶେଷରେ ୨୦୧୯ ମସିହା ଏପ୍ରିଲ ମାସରେ ଆଖି ବୁଜିଛନ୍ତି । ସେହିଦିନ ଠାରୁ ମନିଷା ନିଜ ଭାଇ ଭାଉଜଙ୍କ ନିକଟରେ ରହିଆସୁଛନ୍ତି । ଆନ୍ଧ୍ରର ବିଜନଗରମ ଜିଲ୍ଲାର କାମ କରୁଥିବା ଏମ ରାମକୃଷ୍ଣ ରାଜୁ ନିଜ ଭଉଣୀ ମନିଷାକୁ ପାଖରେ ରଖିଥିବାରୁ ତାଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ରାମକୃଷ୍ଣଙ୍କ ଚାକିରି ବି ବିପଦରେ । ହକ ପାଇଁ ବାରମ୍ବାର ପ୍ରୟାସ କରୁଥିବା ମନିଷା ବିଫଳ ହେବା ପରେ ଶେଷରେ ଆଜି(ଶନିବାର) ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ସ୍ବର୍ଗତ ବିଶ୍ବନାଥ ଝିଅର ବାହାଘର ପାଇଁ ୩ ଏକର ଜମି ବିକ୍ରି କରିଥିଲେ । ବାହାଘର ବେଳେ ପୁଅ ଘରର ଦାବି ଅନୁସାରେ ଯୌତୁକ ମଧ୍ୟ ଦେଇଥିଲେ । ହେଲେ ବର୍ତ୍ତମାନ ଶ୍ବଶୁର ଘର ଲୋକେ ମନିଷାଙ୍କୁ ଘରୁ ବାହାର କରିଦେଇଛନ୍ତି ।

ଗତ ଫେବୃୟାରୀ ୧୪ତାରିଖରେ ମଧ୍ୟ ଏହିଭଳି ଧାରଣା ଦେଇଥିଲେ ମନିଷା । ହେଲେ ସହରର କିଛି ତଥାକଥିତ ବୁଦ୍ଧିଜୀବୀମାନେ ପହଞ୍ଚି ଏହାକୁ ଆପୋଷ ସମାଧାନ କରିବାକୁ କଥା ଦେଇଥିଲେ । ହେଲେ ଆଜି ଯାଏଁ କୌଣସି ସମାଧାନ ନହେବାକୁ ମନିଷା ପୁଣିଥରେ ଶ୍ବଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ସେପଟେ ଆଗୁଆ କୌଣସି ସୂଚନା ନ ଦେଇ ମନିଷା ଧାରଣାରେ ବସିଥିବାରୁ ପୋଲିସ ମଧ୍ୟ ପାଲ ନେଇଯାଇଛି । ଫଳରେ ଡହ ଡହ ତାତିରେ ଖୋଲା ଆକାଶ ତଳେ ନ୍ୟାୟ ଦାବିରେ ବସିଛନ୍ତି ମନିଷା ।

ସେପଟେ ଆସନ୍ତା 6 ତାରିଖରେ ଆପୋଷ ସମାଧାନ ପାଇଁ କଥାବାର୍ତ୍ତା କରିବାକୁ ଦିନ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ । ସମାଧାନ ଆଳରେ କିନ୍ତୁ ଦିନ ପରେ ଦିନ ଗଡି ଚାଲିଛି । କେବେ ମନିଷାଙ୍କୁ ନ୍ୟାୟ ମିଳିଛି ଏବଂ ସମାଜରୁ ଏପରି କଳୁଷିତ ଅଧ୍ୟାୟର ଅନ୍ତ ଘଟୁଛି ତାହା ଦେଖିବାକୁ ବାକି ରହିଲା ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details