ଓଡିଶା

odisha

ETV Bharat / state

ପାରଳାଖେମୁଣ୍ଡି ରଥଯାତ୍ରା: ବିଜୟଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା - ଠାକୁରଙ୍କ ପହଣ୍ଡିରେ ସାମିଲ ହେଲେ ବିଜୟ

ପାରଳାଖେମୁଣ୍ଡିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୁବ ଧୁମଧାମରେ ରଥଯାତ୍ରା ପାଳିତ ହୋଇଯାଇଛି । ଏଥିରେ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଯୋଗଦେଇ ଠାକୁରଙ୍କ ପହଣ୍ଡିରେ ସାମିଲ ହୋଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପାରଳାଖେମୁଣ୍ଡିରେ ଧୁମଧାମରେ ହେଲା ରଥଯାତ୍ରା
ପାରଳାଖେମୁଣ୍ଡିରେ ଧୁମଧାମରେ ହେଲା ରଥଯାତ୍ରା

By

Published : Jun 20, 2023, 8:40 PM IST

ପାରଳାଖେମୁଣ୍ଡିରେ ଧୁମଧାମରେ ହେଲା ରଥଯାତ୍ରା

ପାରଳାଖେମୁଣ୍ଡି: ଦ୍ବିତୀୟ ପୁରୀ ଭାବେ ପରିଚିତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୁବ ଧୁମଧାମରେ ରଥଯାତ୍ରା ପାଳିତ ହୋଇଯାଇଛି । ଆଜି ସକାଳୁ ରାଜପୁରୋହିତଙ୍କ ଦ୍ବାରା 3 ଥର ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା । ଏହାପରେ ଠାକୁରଙ୍କ ନୀତିକାନ୍ତି ସରିବା ପରେ ଛେନାପଟା ଭିଡା କାର୍ଯ୍ୟ ହୋଇଥିଲା। ଏହାପରେ ଠାକୁରଙ୍କ ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେବାୟତଙ୍କ ସମେତ ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହେବା ପରେ ପାରଳା ମହାଦେଇ କଲ୍ୟାଣୀ ଗଜପତି ଆସି 3 ରଥରେ ଛେରା ପହଁରା କରିବା ସହ ଆଳତି କରିଥିଲେ । ଶ୍ରୀଗୁଣ୍ଡିଚା ପାଇଁ ସାରା ବିଶ୍ବ ଚଳଚଞ୍ଚଳ ଦ୍ବିତୀୟ ପୁରୀ ଭାବେ ପରିଚିତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ପ୍ରତିବର୍ଷ ଧୁମଧାମରେ ରଥଯାତ୍ରା ପାଳିତ ହୋଇଆସୁଛି । ଏହି ଅବସରରେ ଅନେକ ଲୋକ ସାମିଲ ହୋଇ ଠାକୁରଙ୍କ କୃପା ଲାଭ କରିଥିଲେ ।

ଏହି ରଥଯାତ୍ରାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଯୋଗଦେଇ ଠାକୁରଙ୍କ ପହଣ୍ଡିରେ ସାମିଲ ହୋଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ସେ ପାରଳାଖେମୁଣ୍ଡି କିମ୍ବା ଭୁବନେଶ୍ବର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ବର୍ତ୍ତମାନ ବିଜୟଙ୍କ ବାରମ୍ବାର ଗଜପତି ଗସ୍ତ ଏବଂ ବିଭିନ୍ନ ସ୍ତରର କଂଗ୍ରେସ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବା ଘଟଣାକୁ ନେଇ ସେ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ହେବା ଚର୍ଚ୍ଚା ଜୋର ଧରିଲାଣି ।

ଖାଲି ସେତିକି ନୁହେଁ, ଆଜି ରଥଯାତ୍ରାରେ ପାରମ୍ପରିକ ବେଶପୋଷାକରେ ବିଜୟ ପଟ୍ଟନାୟକ ସାମିଲ ହେବା ଘଟଣା ଚର୍ଚ୍ଚାକୁ ଆହୁରି ଇନ୍ଧନ ଯୋଗାଇଛି । ଗତ 3 ଦିନ ହେଲା ସେ ଗଜପତି ଜିଲ୍ଲାରେ ରହି ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟି ଦଳୀୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ କିଛି ଅଣ କଂଗ୍ରେସ ଦଳର ନେତାମାନେ ମଧ୍ୟ ତାଙ୍କୁ ଭେଟି ଆଲୋଚନା କରିଥିବା କୁହାଯାଉଛି । ବିଜୟ ଏଠାରୁ ପ୍ରାର୍ଥୀ ହେଲେ ସମସ୍ତେ ସହଯୋଗ କରିବେ ବୋଲି ନିର୍ଭର ପ୍ରତିଶୃତି ମଧ୍ୟ ଦେଇଥିବା କୁହାଯାଉଛି । ଅପରପକ୍ଷେ ଆଜି ବିଜୟ ରଥଯାତ୍ରାରେ ସାମିଲ ହେବାକୁ ଯାଉଥିବା ସମୟରେ ସ୍ଥାନୀୟ କଂଗ୍ରେସ ନେତାମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ଏହାକୁ ନେଇ ବିଜୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ପାରଳାଖେମୁଣ୍ଡି ହେଉଛି ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଏନ୍ତୁଡିଶାଳ ବୋଲି କହିଲେ କିଛି ଭୁଲ ହେବ ନାହିଁ । ସେହିପରି ପାରଳାଖେମୁଣ୍ଡି ମନ୍ଦିରରେ ପୂଜା ପାଉଥିବା ଦିଅଁ ମଧ୍ୟ ଅନେକ ପୁରୁଣା। ଅନେକ ଥର ପୁରୀ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ପାଇଛି । କିନ୍ତୁ ପାରଳାଖେମୁଣ୍ଡି ଭଳି ଏକ ଐତିହାସିକ ସ୍ଥାନରେ ହେଉଥିବା ରଥଯାତ୍ରାରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରୁଛି" ବୋଲି ସେ କହିବା ସହ ଲୋକେ ତାଙ୍କୁ ଯେଭଳି ଗ୍ରହଣ କଲେ ତାହା ଅବିଶ୍ବସନୀୟ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଏହାସହ ଆଜି ଭଳି ଏକ ପବିତ୍ର କାର୍ଯ୍ୟକ୍ରମରେ ସାମିଲ ହେବା ଘଟଣାକୁ ରାଜନୈତିକ ଦୃଷ୍ଟି ଭଙ୍ଗୀରେ ଦେଖିବା ଠିକ୍ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details