ଗଜପତି: କଂଗ୍ରେସରେ ଯୋଗ ଦେବାପରେ ବିଭିନ୍ନ ଜିଲ୍ଲା ଓ ବିଭିନ୍ନ ନେତାଙ୍କ ବାସଭବନ ଯାଇ ସଂଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ତେବେ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ । ଏହା ସହ ରାଜ୍ୟର ପ୍ରତ୍ୟେକ ସ୍ଥାନରେ କଂଗ୍ରେସ ବଞ୍ଚି ରହିଛି ଏବଂ ପୁଣି କ୍ଷମତାକୁ ଫେରିବା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ବିଜୟ ଗଜପତି ଗସ୍ତ ସମୟରେ କହିଛନ୍ତି, "ସାଢେ ୪ କୋଟି ଓଡିଆଙ୍କ ହୃଦୟରେ ନବୀନ ବାବୁ ରହିଛନ୍ତି ବୋଲି ବିଜେଡି ବାଲା କହି ବୁଲୁଥିଲେ ମଧ୍ୟ ପ୍ରକୃତ କଥା ହେଉଛି ନବୀନ ବାବୁ ସାଧାରଣ ଲୋକଙ୍କ ଠାରୁ ବହୁ ଦୂରରେ । ଏପରିକି ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ମଧ୍ୟ ତାଙ୍କୁ ଭେଟିବା ସମ୍ଭବ ହେଉନାହିଁ । ଏକ କଟୋରୀ ବର୍ତ୍ତମାନ ସରକାର ଏବଂ ଦଳକୁ ପରିଚାଳନା କରୁଛନ୍ତି । ଏହା ସାଧାରଣ ଲୋକେ ବୁଝିବା ଆରମ୍ଭ କଲେଣି । ତେଣୁ ସେମାନେ ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି । ହେଲେ ଏହାକୁ ମ୍ୟାନେଜ କରିବା ପାଇଁ ଶାସକ ଦଳ ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରି ନିଜ ଦଳ ପାଇଁ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି । ଯାହା ସୁସ୍ଥ ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସରକାର ଏଥିରୁ ବିଚ୍ୟୁତ ହୋଇ ଅଧିକାରୀମାନଙ୍କୁ ସେମାନଙ୍କ କାମ ବିନା ଚାପରେ କରିବାକୁ ସୁଯୋଗ ଦିଅନ୍ତୁ । ସରକାରୀ ଅଧିକାରୀଙ୍କ ପାଇଁ ଏକ ଲକ୍ଷ୍ମଣ ରେଖା ରହିଛି । ସେମାନେ ତାହାରି ଭିତରେ ରହି କାମ କରିବା ଆବଶ୍ୟକ ।"