ଗଜପତି:ମହିଳାଙ୍କୁ ମାଡ ମାରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ମିଳିଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କିଡିଗାଁ ଗ୍ରାମରେ । ମହିଳା ଜଣକ ଦଳିତ ହୋଇଥିବାରୁ ଏହି ପ୍ରକାର ଅତ୍ୟାଚାର ହୋଇଛି ବୋଲି ସ୍ଥାନୀୟ ଲୋକେ କହିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସୂଚନା ମୁତାବକ, ସୂଚନା ମୁତାବକ କିଡିଗାଁ ଗ୍ରାମର କାମ୍ବାଲା ଜୟମ୍ମା ନାମକ ଜଣେ ମହିଳା ସେହି ଗ୍ରାମର ସଞ୍ଜୀବ ନାଇଡୁଙ୍କ ଗାଈଗୋରୁ ଜଗିବା ପାଇଁ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ପ୍ରତ୍ୟେକ ଗାଈ ପିଛା ବର୍ଷକୁ 2500ଟଙ୍କା ମଜୁରୀ ନେଉଥିବା ବେଳେ ସଞ୍ଜୀବ ଉକ୍ତ ମହିଳାଙ୍କୁ 1000 ଟଙ୍କା ବାକେୟା ଦେବାର ଥିଲା । ହେଲେ ଶନିବାର ଏହି ଟଙ୍କା ମାଗିବା ପାଇଁ ମହିଳା ଜଣକ ସଞ୍ଜୀବଙ୍କ ଘରକୁ ଯାଇଥିଲେ ।
କିନ୍ତୁ ସଞ୍ଜୀବ ଓ ତାଙ୍କ ପୁଅ କେ ତାବିଟି ନାଇଡୁ ମହିଳା ଜଣକୁ ରାସ୍ତା ମଝିରେ ବାଡେଇବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ତେବେ ମହିଳାଙ୍କ ଝିଅ ସେହି ସ୍ଥାନରେ ପହଞ୍ଚି ପଚାରିବାରୁ,ଉଭୟ ବାପା ଓ ପୁଅ ଦଳିତ ଜାତିର ମହିଳା ହୋଇ ଘରକୁ ଆସିଲ କାହିଁକି ବୋଲି ପୁଣି ଥରେ ମାରିବା ସହ ର୍ଦୁବ୍ୟବହାର କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏନେଇ କାଶୀନଗର ଥାନାରେ ମହିଳା ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହାକୁ ଭିତ୍ତି କରି ପୋଲିସ୍ ଏକ ମାମଲା(133/22) ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି ।