ଗଜପତି: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଗଜପତି ଜିଲ୍ଲାରେ ମଧ୍ୟ ସଂକ୍ରମଣ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ତେଣୁ କୋରୋନା ନିୟମକୁ ମାନିବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏଥିସହ ସରକାରଙ୍କ ଦ୍ବାରା ଜାରି ହୋଇଥିବା କୋରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏନେଇ ଜିଲ୍ଲାପାଳ ରବିବାର ଦିନ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ଗତ ରବିବାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି । ଏଥିସହ ସମସ୍ତ ୧୬ଟି ଯାକ ପ୍ରବେଶ ପଥରେ ଯାଞ୍ଚକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବେଶ ପଥରେ ଜିଲ୍ଲାକୁ ଆସୁଥିବା ଲୋକଙ୍କ କୋଭିଡ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେଉଛି । ତେବେ ଆସନ୍ତାକାଲି ସୁଦ୍ଧା ଆଉ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।