ପାରଳାଖେମୁଣ୍ଡି:ବିଦ୍ୟାଳୟ ବନ୍ଦ ହେବାପରେ ଦୀର୍ଘ 4 ଘଣ୍ଟା କାଳ ଫସି ରହିଲେ ବାକ୍ ବାଧିତ ଛାତ୍ରୀ । ଗୋଷାଣି ବ୍ଲକ ବୋମିକା ପଞ୍ଚାୟତ ବଡଦେଉଳାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଛାତ୍ରୀ ବିଦ୍ୟାଳୟରେ ଥିବାବେଳେ କର୍ତ୍ତୃପକ୍ଷ ଭୁଲ ବଶତଃ ତାଙ୍କୁ ତାଲା ପକାଇ ଦେଇଥିଲେ । ଆଉ ଏହି ଭୁଲକୁ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହ ଆଉ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନକରିବାକୁ ପ୍ରତିଶୃତି ଦେଇଛନ୍ତି ।
ସୂଚନା ଅନୁସାରେ, ସୋମବାର ଦିନ ବିଦ୍ୟାଳୟର ପାଠ ପଢା ସରିଯିବା ପରେ ପ୍ରଥମ ଶ୍ରେଣୀର ଜଣେ ଛାତ୍ରୀ ଭୁଲବଶତଃ ଅନ୍ୟ ଏକ ଶ୍ରେଣୀ କକ୍ଷକୁ ଯାଇ ବେଞ୍ଚର ଶେଷ ଭାଗରେ ଶୋଇପଡ଼ିଥିଲେ ବୋଲି ଗ୍ରାମବାସୀ ଓ ଛାତ୍ରୀଙ୍କ ପରିବାରବର୍ଗ କହିଛନ୍ତି । ସୋମବାର ଅପରାହ୍ନ ୪ଟା ପରେ ବିଦ୍ୟାଳୟର ଶ୍ରେଣୀ କକ୍ଷ ଗୁଡିକର ଝରକା କବାଟ ବନ୍ଦ କରାଯାଉଥିଲା । ଏହି ଦାୟିତ୍ୱ ନିଯୁକ୍ତ ହୋଇଥିବା ମନିଟର ତୁଲାଉଥିଲେ । ହେଲେ ମନିଟର ଜଣକ ଛାତ୍ରୀଙ୍କ ଶୋଇଥିବା କଥା ଜାଣିପାରି ନଥିଲେ।
ଏହାପରେ ମନିଟର ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମସ୍ତ ଝରକା କବାଟ ବନ୍ଦ କରି ତାଲା ପକାଇ ବିଦ୍ୟାଳୟର ଏସ୍ଏମ୍ସି ସଭାପତିଙ୍କୁ ଚାବି ହସ୍ତାନ୍ତର କରି ଚାଲିଯାଇଥିଲେ । ପରେ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଛାତ୍ରୀଙ୍କ ପରିବାର ବର୍ଗ ବର୍ଷା ଛାଡ଼ିବା ପରେ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ କୌଣସି ସନ୍ଧାନ ନମିଳିବାରୁ ଉଭୟ ପରିବାରବର୍ଗ ଓ ଗ୍ରାମବାସୀ ମିଳିତ ଭାବେ ବହୁ ଖୋଜାଖୋଜି କରିଥିଲେ । ଶେଷରେ ସନ୍ଧ୍ୟା ପାଖାପାଖି ୮ଟା ସମୟରେ ବିଦ୍ୟାଳୟର ଏସ୍ଏମ୍ସି ସଭାପତିଙ୍କଠାରୁ ଚାବି ଆଣି ବିଦ୍ୟାଳୟ ଖୋଲିଥିଲେ ଛାତ୍ରୀଙ୍କ ପରିବାର ।