ପାରଳାଖେମୁଣ୍ଡି:ଶନିବାର ଦିନିକିଆ ଗଜପତି ଗସ୍ତ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲା ଗସ୍ତରେ ଆସିଥିଲେ ମଧ୍ୟ ସୀମାକୁ ନେଇ ବିବାଦୀୟ ହୋଇପଡିଥିବା ରାୟଗଡ ବ୍ଲକର ମାଣିକପାଟଣାକୁ ଗଲେ ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବୁଦ୍ଧିଜୀବିମାନେ ପ୍ରଶ୍ନ ଉଠାଇବା ସହ ସରକାରଙ୍କ ଏଭଳି ନୀତି ଯୋଗୁଁ ହିଁ ଆନ୍ଧ୍ରର ସାହସ ବଢ଼ୁଛି ଏବଂ ସେ ଓଡିଶା ଭିତରେ ପଶି ଦାଦାଗିରି କରୁଛି ।
ଆନ୍ଧ୍ରର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଏସ.ଆପଲରାଜୁ ଗତ ଗୁରୁବାର ଓଡିଶା ସୀମାରେ ଅନୁପ୍ରବେଶ କରି ଲୋକଙ୍କ ସହ ବୈଠକ କଲେ। ଗଜପତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଖୋଲା ଧମକ ଦେଲେ । ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣାକୁ ଆସିବା ସମୟରେ ଆନ୍ଧ୍ର ମନ୍ତ୍ରୀଙ୍କ ଠାଣି ଏବଂ ଆୟୋଜନ ଦେଖିଲେ ଲାଗୁଥିଲା ସତେ ଯେମିତି ସେମାନେ ମାଣିକପାଟଣା ଦଖଲ ପାଇଁ ଆସିଛନ୍ତି । ମନ୍ତ୍ରୀ ଏସ.ଆପଲରାଜୁ ନିଜ ସହ କିଛି ପ୍ରଶାସନିକ ଅଧିକାରୀ ଏବଂ ଜଣେ ଡିଏସପିଙ୍କ ନେତୃତ୍ବରେ ୫ ପ୍ଲାଟୁନ ଫୋର୍ସ ସହ ଆସିଥିଲେ । ହେଲେ ଓଡିଶା ପକ୍ଷରୁ ଜଣେ ଅତିରିକ୍ତ ଜିଲ୍ଲାପାଳ ସେଠାକୁ ଯାଇଥିବା ବେଳେ ଜଣେ ଇନ୍ସପେକ୍ଟର ମାତ୍ର ୪ଜଣ ହୋମଗାର୍ଡଙ୍କୁ ସାଙ୍ଗରେ ନେଇ ସେଠାରେ ଉପସ୍ଥିତ ରହିଥିଲେ । ଦେଖିଲେ ଲାଗୁଥିଲା ଆନ୍ଧ୍ରକୁ ଜବାବ ଦେବା ପାଇଁ ଓଡିଶାର କୌଣସି ପ୍ରସ୍ତୁତି ହିଁ ନଥିଲା । ଏହାର ଫାଇଦା ନେଇ ଆନ୍ଧ୍ରର ମନ୍ତ୍ରୀ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦୁବ୍ୟବହାର କରିବା ସହ ଖୋଲା ଧମକ ଦେଇଥିଲେ। । ଆନ୍ଧ୍ରମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଓଡିଶାର ଅଧିକାରୀଙ୍କୁ ପରିଚୟପତ୍ର ମାଗିବା ସହ ଏହି ସ୍ଥାନ ଆନ୍ଧ୍ରର, ତେଣୁ ଏଠାରେ ଚାଲୁଥିବା ଆନ୍ଧ୍ରର ଅଙ୍ଗନବାଡି କେନ୍ଦ୍ରକୁ ଯିଏ ବନ୍ଦ କରିବ ତାକୁ ଗିରଫ କରାଯିବ । ଏଠାରେ ଥିବା ଓଡିଶା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇଦେବି । କେବଳ ଏତିକି ନୁହେଁ, ନିଜ ସହ ଆଣିଥିବା ଡିଏସପିଙ୍କୁ ଡାକି ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇନେଇ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଓଡିଶାରେ ପଶି ଆନ୍ଧ୍ରମନ୍ତ୍ରୀ ଜିଲ୍ଲାର ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉଠାଇନେବା ସହ ସେଠାରେ ଥିବା ଓଡିଶା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇ ଦେବାର ଧମକ ଦେବା ଘଟଣାକୁ ଇତି ମଧ୍ୟରେ 72 ଘଂଟାରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଗଜପତି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ଆନ୍ଧ୍ର ମନ୍ତ୍ରୀଙ୍କ ବିରୁଦ୍ଧରେ ଏଯାଏଁ ଏତଲାଟିଏ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇନାହିଁ ।