ଗଜପତି: କୋରୋନାର ଦ୍ବିତୀୟ ଲହରୀକୁ ରୋକିବା ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଯାହାଫଳରେ ଗତ 1 ମାସ ହେଲାଣି ସାରା ରାଜ୍ୟରେ ବସ ଚଳାଚଳ ବନ୍ଦ ରହିଛି । ଫଳରେ ବସ କର୍ମଚାରୀମାନେ ରୋଜଗାର ହରାଇ ବସିଛନ୍ତି । ଏପରିକି ସେମାନେ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ତେଣୁ ବସ ଚଳାଇବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ନ ହେଲେ ପରିବାର ପ୍ରତିପୋଷଣର ବ୍ୟବସ୍ଥା କରନ୍ତୁ ବୋଲି କର୍ମଚାରୀମାନେ ଦାବି କରିଛନ୍ତି ।
କୋରୋନା ପ୍ରଥମ ଲହରୀ ସମୟରେ କଟକଣା ଯୋଗୁଁ ପ୍ରାୟ 6 ମାସ ହେବ ବସ ଚଳାଚଳ ବନ୍ଦ ରହିଥିଲା । ମାସ କେଇଟା ବସ ଚଳାଚଳ ହୋଇଛି କି ନାହିଁ ଦ୍ବିତୀୟ ଲହରୀ ପାଇଁ ପୁଣି କଟକଣା ଜାରି କରିଛନ୍ତି ସରକାର । ଫଳରେ ଗତ 1 ମାସ ହେଲା ପୁଣି ବସ ଚଳାଚଳ ବନ୍ଦ ରହିଛି । କହିବାକୁ ଗଲେ ଗତ 1 ବର୍ଷ ହେଲାଣି ଗଜପତି ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଛି । ସ୍ଥିତି ଏମିତି ଯେ, ପରିବାର ଚଳାଇବା ବି କଷ୍ଟକର ହୋଇପଡିଛି ବସ କର୍ମଚାରୀଙ୍କ ପାଇଁ । ଯଦିଓ କର୍ମଚାରୀ ସଂଘ ପକ୍ଷରୁ କିଛି ରାସନ ପ୍ରଦାନ କରାଯାଇଥିଲା, କିନ୍ତୁ ତାହା କେବଳ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ସରକାର ଉଠା ଦୋକାନୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । କିନ୍ତୁ ବସ କର୍ମଚାରୀଙ୍କ ପାଇଁ କୌଣସି ସହୟତା ପ୍ରଦାନ କରିନାହାନ୍ତି । ତେଣୁ ତୁରନ୍ତ ଗାଡି ଚଳାଚଳ କରିବାକୁ ସରକାର ଅନୁମତି ପ୍ରଦାନ କରନ୍ତୁ ନଚେତ କର୍ମଚାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରନ୍ତୁ । ଏଭଳି ନ ହେଲେ ମୋଟର କର୍ମଚାରୀ ଏବଂ ତାଙ୍କ ପରିବାର ଲୋକେ ଖାଦ୍ୟ ଅଭାବରୁ ମରିଯିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।