ଗଜପତି: ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ୬୬୦ କିଲୋ ରକ୍ତ ଚନ୍ଦନ ଗଣ୍ଡିକୁ ଜବତ କରିଛି ଗଜପତି ଜିଲ୍ଲା ମହେନ୍ଦ୍ର ବନ୍ୟଚଳର କର୍ମଚାରୀ । ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ର-ଓଡିଶା ସୀମାନ୍ତ ଅଂଚଳରେ ଥିବା ଦୁଳିବ ରକ୍ତ ଚନ୍ଦନ ବଣ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି ।
ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ୬୬୦ କିଲୋ ରକ୍ତ ଚନ୍ଦନ କାଠ ଜବତ ଅନେକଥର ଏଠାରୁ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ କରିବାରେ ମାଫିଆମାନେ ସକ୍ଷମ ହୋଇଥିବା ବେଳେ ଆଉ ଏକ ଲୋଡ ପଠାଇବା ପାଇଁ ଯୋଜନା କରାଯାଇଥିଲା । ଯାହାର ସୁରାକ ପାଇଥିଲା ବନ ବିଭାଗ । ଫଳରେ ଗତ ପ୍ରାୟ ୧ ମାସ ଧରି ବନ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିଲା । ସୀମାନ୍ତ ଭୀମପୁର ଗାଁର ଏକ ପରିତ୍ୟକ୍ତ ଘରେ ରକ୍ତ ଚନ୍ଦନ ଗଣ୍ଡି ଗଛିତ କରି ରଖାଯିବା ସୂଚନା ପାଇ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ କର୍ମଚାରୀମାନେ ଚଢଉ କରିଥିଲେ । ସେଠାରୁ ୧୮ଟି ରକ୍ତ ଚନ୍ଦନ ଗଣ୍ଡିକୁ ଜବତ କରିଥିଲେ ।
ଆଜି ତାର ଓଜନ କରାଯିବା ସମୟରେ ୬୬୦ କିଲୋ ହୋଇଛି । ତେବେ ଏହି ଘରେ କେହି ନଥିବାରୁ କୌଣସି ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରାଯାଇପାରିନାହିଁ ବୋଲି କହିଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ତେବେ ଏହି କାରବାର ଚଳାଇଥିବା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଜାରି ରହିଛି ଏବଂ ଅତିଶୀଘ୍ର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏତେ ପରିମାଣର ରକ୍ତ ଚନ୍ଦନ ଗଣ୍ଡି ଜବତ ହେବା ଘଟଣା ଯେତିକି ଚର୍ଚ୍ଚାକୁ ଆସିନାହିଁ, ତାଠାରୁ ଅଧିକ ଆଲୋଚନାର ବିଷୟ ହୋଇଛି ମୂଲ୍ୟବାନ କାଠ ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଧରିନାହିଁ ବନ ବିଭାଗ । ବନ ବିଭାଗ ଚୋରା ଚାଲାଣକାରୀଙ୍କୁ ଧରିପାରିନାହିଁ ନା ଧରିନାହିଁ ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଛି । ତେବେ ଘଟଣାର ତଦନ୍ତ ଜାରି ରହିଛି ଏବଂ ଅତିଶୀଘ୍ର ଚୋରା ଚାଲାଣକାରୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଡିଏଫଓ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ