ଗଜପତି: କୋରୋନାକୁ ନେଇ ସାରା ବିଶ୍ବ ଚିନ୍ତାରେ ଥିବା ବେଳେ ଗଜପତି ଜିଲ୍ଲାରୁ ଆସିଛି ଆଶ୍ବସ୍ତିକର ଖବର । ଜିଲ୍ଲାରେ କରାଯାଇଥିବା ସେରୋଲୋଜିକାଲ ସର୍ଭେର ରିପୋର୍ଟ ଆଶ୍ବସ୍ଥିକର ହୋଇଛି । ପ୍ରାୟ 65 ପ୍ରତିଶତ ଲୋକଙ୍କ ଦେହରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଏହା କହିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା । ଏଭଳି ଖବର ଶୁଣିବା ପରେ ସାଧାରଣ ଲୋକେ କୋରୋନା ବିରୋଧୀ ଲଢେଇରେ କିଛି ମାତ୍ରାରେ ବିଜୟୀ ହୋଇଥିବା ଅନୁଭବ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନର କଡା ନିୟମ ଏବଂ ସାଧାରଣ ଲୋକଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।
ଗଜପତି ଜିଲ୍ଲା ମେ ମାସ 22 ପର୍ଯ୍ୟନ୍ତ କୋରୋନା ମୁକ୍ତ ହୋଇ ରହିଥିଲା । 23 ତାରିଖରେ ପ୍ରଥମ କୋରୋନା ରୋଗୀ ଜିଲ୍ଲାରେ ଚିହ୍ନଟ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ହୁ ହୁ ହୋଇ ବଢିଥିଲା ସଂକ୍ରମିତଙ୍କ ସଂଖ୍ୟା । ବିଶେଷ କରି ଜୁଲାଇ ଏବଂ ଅଗଷ୍ଟ ମାସରେ ସ୍ଥିତି ଚିନ୍ତା ଜନକ ରହିଥିଲା । ମେ ମାସରେ 36ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୁନ୍ ମାସରେ 401ଜଣ । ଜୁଲାଇରେ 965, ଅଗଷ୍ଟରେ 1443ଜଣ ଚିହ୍ନଟ ହୋଇଥିଲେ । କିନ୍ତୁ ସେପ୍ଟେମ୍ବର ମାସରେ ସଂଖ୍ୟା କମିଥିଲା । ମାତ୍ର 707ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ଆକ୍ରାନ୍ତଙ୍କ ସଂଖ୍ୟା କମିବାର କାରଣ ଜାଣିବା ପାଇଁ ପାରଳାଖେମୁଣ୍ଡି ପୌରାଞ୍ଚଳରେ ସେପ୍ଟେମ୍ବର 15ରୁ 18ତାରିଖ ଯାଏଁ କରାଯାଇଥିଲା ସେରୋଲୋଜିକାଲ ସର୍ଭେ । ଏହାର ରିପୋର୍ଟ ଏବେ ପ୍ରକାଶ ପାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ । ପାରଳାଖେମୁଣ୍ଡିର ପ୍ରାୟ 65ପ୍ରତିଶତ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ରହିଥିବା ଜିଲ୍ଲାପାଳ କହିଛନ୍ତି । ପ୍ରାୟ 15ଶହ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଏହି ସର୍ଭେ କରାଯାଇଥିଲା । ସେହିପରି କୋରୋନା ଯୋଦ୍ଧାଙ୍କ ମଧ୍ୟରେ ପୁଲିସ କର୍ମଚାରୀଙ୍କ ଠାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଥିବା ଜଣାପଡିଛି ।