ଗଜପତି: ପାରଳାଖେମୁଣ୍ଡି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସିଦ୍ଧାମଡଙ୍ଗଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଭଳି ଅନେକ ହେଭିୱେଟ୍ ନେତା ଯୋଗଦେଇଥିଲେ।
ଫଟୋ ସୈଜନ୍ୟ: ପ୍ରତିନିଧି, ଗଜପତି ସୋମବାର ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସେ ଗଜପତି ବିଜେପି ସଙ୍କଳ୍ପ ସମାବେଶରେ ସିଧାସଳଖ ବିରୋଧୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାମାମଲାକୁ କେନ୍ଦ୍ରକରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେହିପରି କଂଗ୍ରେସର ହିନ୍ଦୁ ଭୋଟ ବ୍ୟାଙ୍କ ନେଇ ଖୁବ ଆକ୍ରମଣ କରିଛନ୍ତି।
ଅମିତ କହିଥିଲେ ଯେ, କଂଗ୍ରେସ ନିଜର ଭୋଟ ବ୍ୟାଙ୍କ ବଞ୍ଚାଇବା ପାଇଁ ହିନ୍ଦୁ ଧର୍ମକୁ ବଦନାମ କରୁଛି। ଓଡିଶାର ଯୁବପିଢି କାମ ନପାଇ ରାଜ୍ୟ ବାହାରକୁ ଦାଦନ ଖିଟିବାକୁ ଯାଉଛନ୍ତି। ଯଦି ବିଜେପି କ୍ଷମତାକୁ ଆସେ ତେବେ, ସମସ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ। ନବୀନ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡର ସୁରକ୍ଷା କରିବାରେ ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏହା ବ୍ୟତୀତ ବିଜେଡି ସରକାର ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଥି ବୋଲି ଶାହା କହିଛନ୍ତି। ସେହିପରି ସେ ଏହି ସମାବେଶରେ ମୋଦି ସରକାର ଗୁଣଗାନ କରିବା ସହ ରାମ ମନ୍ଦିର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେପଟେ ଅମିତ ଶାହଙ୍କ ଗସ୍ତକୁ ନେଇ ଦଳିୟ କର୍ମୀଙ୍କ ମନରେ ଅନେକ ଉତ୍ସାହ ଭରି ଯାଇଛି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ