ଗଜପତି: ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ଆର.ପି କୋଚେ ଶୁକ୍ରବାର ଅଚାନକ ଗଜପତି ଜିଲ୍ଲା ଗସ୍ତରେ ଆସିଛନ୍ତି । ଗତ ବୁଧବାର ପୋଲିସ ଗାଡିରେ କାଠ ଚୋରା ଚାଲାଣ ବେଳେ ଧରାପଡିବା ଘଟଣାର ତଦନ୍ତ ପାଇଁ ଆସିଛନ୍ତି । ଏଡିଜିଙ୍କ ଗସ୍ତକୁ ନେଇ ସେ କିଛି କହିବାକୁ ମନା କରିଦେଇଥିବା ବେଳେ ଗଜପତି ଏସପି ଜୟରାମ ଶତପଥୀ ଏଡିଜି ପୋଲିସ ଗାଡିରେ କାଠ ଚୋରା ଚାଲାଣ ଘଟଣାର ତଦନ୍ତ ପାଇଁ ଆସିଥିବା ସ୍ପଷ୍ଟ କରିଛନ୍ତି ।
କାଠ ଚୋରାଚାଲାଣ କରୁଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ଗଜପତିରେ ପହଞ୍ଚିଛନ୍ତି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଆର.ପି କୋଚେ । ସେ ଶୁକ୍ରବାର ଅପରାହ୍ନରେ ପାରଳାଖେମୁଣ୍ଡି ପହଞ୍ଚିବା ପରେ ବନବିଭାଗର ଅଧିକାରୀଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ସେ ଓଏସଏପି ତୃତୀୟ ବାଟାଲିୟନର କମାଣ୍ଡାଣ୍ଟ ଜୁରିଆ ବେହେରାଙ୍କୁ ଡାକି ମଧ୍ୟ ପଚରାଉଚୁରା କରିଥିଲେ ।
ଗିରଫ ୪ ଜଣ ଓ ଏସଏପି କର୍ମଚାରୀ ଏବେ ଜେଲ ହାଜତରେ ରହିଥିବାରୁ ସେମାନଙ୍କ ଜାମିନ ପରେ ପଚରାଉଚୁରା କରାଯିବ ବୋଲି କୁହାଯାଉଛି । ତେବେ ଏଡିଜି ନିଜ ଗସ୍ତ ସମ୍ପର୍କରେ କିଛି କହିବାକୁ ମନା କରିଥିବା ବେଳେ ଗଜପତି ଏସପି କିନ୍ତୁ ଏଡିଜିଙ୍କ ଗସ୍ତର କାରଣ ସ୍ପଷ୍ଟ କରିଛନ୍ତି । ଏସପି ଜୟରାମ ଶତପଥୀ କହିଛନ୍ତି ଯେ, ପୋଲିସ୍ ଗାଡିରେ କାଠ ଚୋରାଚାଲାଣ ଘଟଣାର ତଦନ୍ତ ପାଇଁ ଏଡିଜି, ଗଜପତି ଆସିଛନ୍ତି । ତଦନ୍ତ ବର୍ତ୍ତମାନ ଜାରି ରହିଛି ଏବଂ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।
ଗତ ବୁଧବାର ପୁଲିସ୍ ଭ୍ୟାନରେ ବିପୁଳ ପରିମାଣର ମୂଲବାନ କାଠ ଚୋରାଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ବନବିଭାଗ ପକ୍ଷରୁ ସ୍ଥାନୀୟ ଫରେଷ୍ଟ ଗେଟ ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ । ପୋଲିସ ଭ୍ୟାନରୁ ବିପୁଳ ପରିମାର ମୂଲ୍ୟବାନ କାଠ ଜବତ କରିବା ସହ ଗାଡିକୁ ବି ଜବତ କରିଥିଲା । ଏହି ଗାଡିର ଡ୍ରାଇଭର ଶ୍ରୀଧର ମହାପାତ୍ରଙ୍କ ସମେତ ଅନ୍ୟ ୩ ଜଣ ସହକାରୀ ଡ୍ରାଇଭର ଭରତ ମହାଙ୍କୁଡ, ସିପାହୀ ଚିନ୍ମୟ ବେହେରା ଏବଂ ଡେପୁଟି ସୁବେଦାର ତଶୋବନ୍ତ ଆଚାର୍ଯ୍ୟଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।