ଗଜପତି:ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଦିନ ଯେତିକି ଗଡୁଛି, ସସ୍ପେନ୍ସ ସେତିକି ବଢୁଛି । ଘଟଣାରେ ନୂଆ ନୂଆ ତଥ୍ୟ ଏବଂ ଚରିତ୍ର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛନ୍ତି । DFOଙ୍କ ପୂର୍ବତନ ରାତ୍ରି ଜଗୁଆଳି ଗଙ୍ଗା ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେବାର ଦିନକ ପରେ ଲୋକଲୋଚନକୁ ଆସିଛି ବନବିଭାଗର ଏକ ଚିଠି । ଯେଉଁଥିରେ ଗଙ୍ଗାଙ୍କୁ ଗତ 2020 ମସିହା ଡିସେମ୍ବର ମାସରୁ ଚାକିରିରୁ ହଟାଯାଇଥିବା ଉଲ୍ଲେଖ ରହିଛି । ତେବେ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଜଗୁଆଳି ଗଙ୍ଗା ।
ଗଙ୍ଗା କହିଛନ୍ତି, ମୋତେ ଫସାଇବା ପାଇଁ ପିଛିଲା ତାରିଖରେ ଏକ ଚିଠି କରାଯାଇ ମୋର ମନ୍ତବ୍ୟକୁ ଭୁଲ ପ୍ରମାଣିତ କରିବାକୁ ପ୍ରୟାସ କରାଯାଉଛି । ଏନେଇ କିନ୍ତୁ ସବୁ ସଠିକ ରହିଥିବା କହିଛନ୍ତି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ । ହେଲେ ଏହି ଚିଠିକୁ ନେଇ ଉଠିଥିବା ବିଭିନ୍ନ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ରଖିପାରି ନାହାନ୍ତି ବନାଞ୍ଚଳ ଅଧିକାରୀ ।
2021 ମସିହା ଫେବୃୟାରୀ 1ତାରିଖରେ ରାୟଗଡାର ଜ୍ୟୋତି ସିକ୍ୟୁରିଟି ସର୍ଭିସକୁ ଲେଖିଛନ୍ତି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ । ଏହି ଚିଠିରେ ଗତ 2020 ମସିହା ଡିସେମ୍ବର ମାସରେ କାର୍ଯ୍ୟରୁ ବାହାର କରାଯାଇଥିବା ଗଙ୍ଗା ପ୍ରଧାନଙ୍କ ସ୍ଥାନରେ ଜିଖରୀୟ ରଇତଙ୍କୁ ନିଯୁକ୍ତ କରାଯାଇଥିବା ନେଇ ଉଲ୍ଲେଖ ରହିଛି । ତେବେ ଡିସେମ୍ବର ମାସରୁ ଗଙ୍ଗାଙ୍କୁ ଚାକିରିରୁ ବାହାର କରାଯାଇ ଥିବାବେଳେ ଫେବୃୟାରୀ ମାସରେ କାହିଁକି ଚିଠି ଲେଖାଯାଇଛି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।