ପାରଳାଖେମୁଣ୍ଡି: ଜାତୀୟ ପୁରସ୍କାର ପାଇ ଘର ବାହୁଡିଛନ୍ତି ଦିବ୍ୟାଙ୍ଗ ନିରଞ୍ଜନ ବେହେରା । ଏହି ଅବସରରେ ତାଙ୍କୁ ପାରଳାବାସୀ ଜୋରଦାର ସ୍ବାଗତ ଜଣାଇଛନ୍ତି । ସ୍ଥାନୀୟ ଷ୍ଟେସନରୁ ତାଙ୍କୁ ଏକ ବିରାଟ ପଟୁଆରରେ ପାଛୋଟି ଆଣିଛନ୍ତି ପାରଳାବାସିନ୍ଦା । ଦୀର୍ଘ 20 ବର୍ଷ ହେବ ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ଲଢେଇ କରି ଆସୁଥିବା ନିରଞ୍ଜନଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଗତ 3 ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ତାଙ୍କୁ ସେଠାରେ ସମ୍ମାନିତ କରିଥିଲେ ।
ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ଥିବା ନିରଞ୍ଜନ, ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ଅନେକ କାମ କରିଛନ୍ତି । ତେବେ 3 ତାରିଖରେ ସେ ସମ୍ବର୍ଦ୍ଧିତ ହେବାପରେ ଶୁକ୍ରବାର ପାରଳାଖେମୁଣ୍ଡି ଫେରିଛନ୍ତି । ଏହି ସମୟରେ ତାଙ୍କୁ ଶୋଭାଯାତ୍ରାରେ ନେଇ ସହର ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରେ ଲୋକେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ସାରା ଦେଶରୁ 64ଜଣଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ଓଡିଶାରୁ ଏକମାତ୍ର ନିରଞ୍ଜନଙ୍କୁ ମିଳିଥିବାରୁ ସ୍ଥାନୀୟ ଲୋକେ ବେଶ ଖୁସିଥିବା କହିଛନ୍ତି ।