ଗଜପତି :ଗଜପତି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଜିଲ୍ଲାର ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ବିଭିନ୍ନ ଗାଁରେ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି । ଏଥିରେ ଅଢେଇ ଗାଁର ସୁକି କାର୍ଯୀ, ଜଗନ୍ନାଥପୁର ଗାଁର ଡମୁଣି କୁମ୍ଭ, ଗିରା ନୂଆସାହିର ସାନିଆ ଗମାଙ୍ଗ, କୁଣ୍ଡେଇସିଂ ଗାଁର ସଉରା ମାଲା ଏବଂ ଲାକିଆ ଶବରଙ୍କ ଘର ଭାଙ୍ଗିଯାଇଛି । ତେବେ ଉକ୍ତ ଘଟଣାରେ କେହି ଆହତ ହୋଇନଥିବା ସୂଚନାରୁ ପ୍ରକାଶ ।
ଅନ୍ୟପକ୍ଷରେ ବର୍ଷାରେ ଘର କାନ୍ଥ ଭୁଶୁଡି ପଡିବାରୁ ନିରୁପାୟ ହୋଇ ଭଙ୍ଗାଘରେ ବିପଦଜନକ ଭାବେ ରହୁଛନ୍ତି ୫ଟି ପରିବାର । ଲଗାଣ ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଥିବା ଏହି ଘର ଖଣ୍ଡିକ ମଧ୍ୟ ଭାଙ୍ଗି ଯିବାରୁ ଚିନ୍ତାରେ ପଡିଯାଇଛନ୍ତି ପରିବାର ଲୋକେ । ଏବେ ପାଖରେ ଘର ଖଣ୍ଡେ ନଥିବାରୁ ରାତି ହେଲେ ପର ଦୂଆରେ ମୁଣ୍ଡ ଗୁଞ୍ଜୁଛନ୍ତି ଏମାନେ । ସେପଟେ ବର୍ଷା ଯୋଗୁଁ ସାପ, ବେଙ୍ଗର ବି ଭୟ ରହିଛି ଏମାନଙ୍କୁ ।
ଘରର କାନ୍ଥ ପଡ଼ିବା ସହିତ ଆଜବେଷ୍ଟସ ଭାଙ୍ଗି ଚୁରମାର ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଘରେ ରହିଥିବା ଆସବାବପତ୍ର ଭିଜି ଯାଉଛି । ଘରର ଆସବାବପତ୍ରକୁ ସୁରକ୍ଷିତ ରଖିବା ପାଇଁ ପାଖରେ ପଲିଥିନ ଖଣ୍ଡେ ବି ନାହିଁ । ସେହି କାନ୍ଥ ତଳେ ଚାପି ହୋଇ ରହିଥିବା ଆବଶ୍ୟକୀୟ ସାମଗ୍ରୀକୁ ଖୋଜି ବାହାର କରୁଛନ୍ତି ପରିବାର ଲୋକେ । କାନ୍ଥ ପଡି ସବୁକିଛି ମାଟିରେ ମିଶିଯାଇଛି । ଖାଇବେ କଣ, ବଞ୍ଚିବେ କେମିତି ଝଡିବର୍ଷାରେ ପରିବାର ନେଇ ରହିବେ କେଉଁଠି ଚିନ୍ତାରେ ଭାଙ୍ଗି ପଡୁଛନ୍ତି । ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି ପରିବାର ।