ଗଜପତି: ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ । ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲାକୁ କେନ୍ଦ୍ରକରି ବନ୍ଦ ଡାକରା ଦେଇଛି ବିଜେପି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଗଜପତି ଜିଲ୍ଲାରେ ବନ୍ଦ ପାଳନ ହେବ । ସକାଳ ପରଠାରୁ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଦୋକାନ ବଜାରଗୁଡିକ ବନ୍ଦ ରହିଥିବାବେଳେ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଛି । କେବଳ ଅତ୍ୟାବଶ୍ୟକୀୟ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ଲୋକମାନେ ମଧ୍ୟ ବନ୍ଦ ପାଳନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ।
ବନ୍ଦ ପାଳନ ସମୟରେ ବିଜେପିର ଶତାଧିକ କର୍ମୀମାନେ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ବିଜେପି ଅଭିଯୋଗ କରିଛି, ବର୍ତ୍ତମାନ ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ବିଶେଷକରି ମହିଳା ଏକପ୍ରକାର ଅସୁରକ୍ଷିତ । ବିଗତ ଦିନରେ ଓଡିଶାରେ ଘଟିଥିବା ବିଭିନ୍ନ ଅପରାଧିକ ମାମଲା ପ୍ରତି ନିଜର ଦେଲେ, ପ୍ରତ୍ୟେକ ଘଟଣାରେ ବିଜେଡି ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହେଉଛି । ମମିତା ମେହେରଙ୍କୁ ନିର୍ମମ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ବହିଷ୍କାର ଦାବି କରାଯାଉଥିଲେ ହେଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି । ତେଣୁ ଏହି ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦିଗରେ ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛି ବିଜେପି ।