ଢେଙ୍କାନାଳ: ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଆଜି ଜୟନ୍ତୀ । ମହାମାରୀ କୋରୋନା କଟକଣା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଉତ୍ସଵକୁ କେବଳ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛି ପ୍ରଶାସନ ।
୧୯୨୬ ମସିହା ଅକ୍ଟୋବର ୫ ତାରିଖ ଅର୍ଥାତ ଆଜିର ଦିନରେ ଏସିଆ ମହାଦେଶର ସର୍ବବୃହତ ଗ୍ରାମ କୁହାଯାଉଥିବା ଢେଙ୍କାନାଳ ଜିଲ୍ଲା ଭୁବନର ନୀଳକଣ୍ଠପୁରରେ ଜନ୍ମ ନେଇଥିଲେ ଏହି ବୀର ବାଜି ରାଉତ । ଆଉ ଢେଙ୍କାନାଳରୁ ଆରମ୍ଭ ହୋଇଥିବା ପ୍ରଜାମଣ୍ଡଳ ଆନ୍ଦୋଳନକୁ ଦମନ କରିବାକୁ ଆସୁଥିବା ବ୍ରିଟିଶ ସୈନ୍ୟମାନଙ୍କ ଗୁଳିରେ ଗତ ୧୯୩୮ ମସିହା ଅକ୍ଟୋବର ୧୧ ତାରିଖରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ମାତ୍ର ୧୨ ବର୍ଷ ବୟସରେ ବାଜି ରାଉତଙ୍କ ଅସୀମ ସାହସ ଓ ବୀରତ୍ୱ ପାଇଁ ସେ ବିଶ୍ୱର ସର୍ବକନିଷ୍ଠ ଶହୀଦର ମାନ୍ୟତା ପାଇଛନ୍ତି । ଏହି ମହାନ ଶହୀଦଙ୍କ ଜୟନ୍ତୀ ଅବସରରେ ଆଜି ଢେଙ୍କାନାଳ ସହରର ବାଜିଚୌକସ୍ଥିତ ବାଜି ରାଉତଙ୍କ ଶହୀଦ ସ୍ତମ୍ଭରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।