ଢେଙ୍କାନାଳ:ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା। ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଏହି ଜୋରନ୍ଦା ମହିମଗାଦୀ ମୁହାଁ ହୋଇଛନ୍ତି । ତେବେ ଗାଦୀ ପୀଠରେ ଲାଗି ରହିଥିବା ବିବାଦର ଅସ୍ଥାୟୀ ସମାଧାନ ପରେ ମେଳା ପାଇଁ ବେଶ ପ୍ରସ୍ତୁତି କରିଛନ୍ତି ଉଭୟ ସାଧୁ ଗୋଷ୍ଠୀ । ସୂଚନା ଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ପରି ଆସନ୍ତା କାଲି ୪ତାରିଖ ଅର୍ଥାତ ମାଘ ଶୁକ୍ଳ ଚତୁର୍ଦଶୀ ଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ଏହି ମେଳାକୁ ମହିମା ସାଧୁ ମାନେ ତିନି ଦିନ ଧରି ପାଳୁଥିବା ବେଳେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ସ୍ଥାନୀୟ ବାସିନ୍ଦା । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ୧୫୦ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମହିମା ସାଧୁ । ଗାଦୀ ମନ୍ଦିର ପରିସରରେ ଅଖଣ୍ଡ ଧୁନୀ ଜାଳିବା ସାଙ୍ଗକୁ ସାରାବିଶ୍ୱର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ପରି ମୁଖ୍ୟ ଗାଦୀ ମନ୍ଦିର ଚତୁପାର୍ଶ୍ଵରେ ବିଶାଳକାୟ ଝଡବତୀ ଜାଳିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି ବକଳ ଧରି ମହିମା ସାଧୁ । ଫଳରେ ସାରା ବିଶ୍ୱରେ ପ୍ରସାରିତ ଏହି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦାର ମହିମା ଗାଦୀକୁ ଦେଶ ବ୍ୟାପି ମହିମା ସାଧୁ ଓ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିବାରେ ଲାଗିଛି । ଏନେଇ ସଜେଇ ହେଲାଣି ମହିମା ଗାଦୀ ।
କୌପିନୀ ସାଧୁ ଗୋଷ୍ଠୀଙ୍କ ସାଧନା ପୀଠକୁ ଉଚ୍ଛେଦ ପରେ ମେଳାରେ ଅସହଯୋଗ ବିବାଦର ଆସ୍ଥାୟୀ ସମାଧାନ ହୋଇଛି । ଏହାପରେ ମହିମା ଗାଦୀ ଅଧିକ ଚଳଚଞ୍ଚଳ ହୋଇ ଉଠିଛି । ଅଖଣ୍ଡ ବତୀ ମନ୍ଦିରରେ କୌପନୀ ଗୋଷ୍ଠୀ ଅଖଣ୍ଡ ଧୁନୀ ଜାଳିବା ସହ ଏହି ମନ୍ଦିର ନିକଟସ୍ଥ ଜାଗାରେ ଅସ୍ଥାୟୀ ମଣ୍ଡପରେ ମହିମା ସାଧୁ ମାନେ ଭଜନ କୀର୍ତ୍ତନ କରିବା ପାଇଁ ପ୍ରସ୍ତୁତି କରାଯାଇଛି । ମହିମା ପରମ୍ପରା ମୁତାବକ ୪ତାରିଖରେ ପ୍ରଭୁ ପୂର୍ଣ୍ଣିମା ଓ ୫ ତାରିଖରେ ଗୁରୁପୁର୍ଣ୍ଣିମା ବା ଅଗ୍ନିଉତ୍ସଵକୁ ପାଳିବେ ମହିମା ସାଧୁ । ଫଳରେ ସମଗ୍ର ଦେଶବ୍ୟାପୀ ମହିମା ସାଧୁ ସନ୍ନ୍ୟାସୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ମହିମା ଗୋସାଇଁଙ୍କ ଏହି ସମାଧିସ୍ଥଳ ଗୁରୁଧାମ ମହିମା ଗାଦୀକୁ ଆସୁଛନ୍ତି ।