ଢେଙ୍କାନାଳ: ମାଘ ଶୁକ୍ଲପକ୍ଷ ଚତୁଦର୍ଶୀ ଅବସରରେ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦାମେଳା । ଏଥିପାଇଁ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି । ପରମ୍ପରା ଅନୁଯାୟୀ, ମହିମା ସାଧୁମାନେ ଯୋରନ୍ଦା ମେଳାକୁ ଦୁଇ ଦିନ ଧରି ଧୁମଧାମରେ ପାଳନ କରିବେ ।
ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ପରେ ଆସନ୍ତା 9ରୁ ଦୁଇ ଦିନ ଧରି ମହିମା ମହୋତ୍ସବ ପାଳିତ ହେବ । ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ ମହିମା ସନ୍ୟାସୀ ଓ ଶ୍ରଦ୍ଧାଳୁମାନଙ୍କ ଆଗମନ ଘଟିଛି ମହିମା ଗାଦିକୁ । ଚଳିତବର୍ଷ ମହିମାଧର୍ମର ୧୪୭ତମ ପ୍ରଭୁ ପୂର୍ଣ୍ଣିମା ତଥା ବାର୍ଷିକ ଉତ୍ସବ ପାଳିତ ହୋଇଛି ।
ଶୁକ୍ରବାର ପ୍ରାତଃ ମୁହୂର୍ତ୍ତରୁ ମହିମା ସାଧୁମାନେ ଗାଦି ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ କରିଥିଲେ । ଭଣ୍ଡାର ଘରୁ ସୁନା ଓ ରୂପାର ତରାଶ, ଛତି, ମକରତ୍ରୋଣ ଆଦିକୁ କଡା ସୁରକ୍ଷା ବଳୟରେ ଗାଦି ମନ୍ଦିରକୁ ଅଣାଯାଇ ସର୍ବସାଧାରଣ ଦର୍ଶନ ନିମନ୍ତେ ପ୍ରଦର୍ଶନ କରାଯାଇଥିଲା । ପରେ ସନ୍ଧ୍ୟା ୫ଟା୧୫ମିନିଟରୁ ମୁଖ୍ୟ ଗାଦି ମନ୍ଦିରର ଚାରି ଦ୍ବାରରେ ଝାଡଦୀପ ପ୍ରଜ୍ବଳନ କରାଯାଇଥିଲା । ମହିମା ସିଦ୍ଧ ସନ୍ୟାସୀମାନେ ଏହି ଝାଡଦୀପରେ ଘୃତାହୃତୀ କରିଥିଲେ । ମହିମା ସାଧୁ ଓ ଶ୍ରଦ୍ଧାଳୁମାନଙ୍କ ମହିମା ଅଲେଖ ଧ୍ବନୀରେ କମ୍ପି ଉଠୁଛି ମହିମା ଗାଦି । ସେପଟେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ